ଆପଣଙ୍କ ପାଖକୁ ଆସୁଛି କି ଏମର୍ଜେନ୍ସି ଆଲର୍ଟ ମେସେଜ

ଆଜି ସମସ୍ତଙ୍କ ପାଖକୁ ଏମର୍ଜେନ୍ସି ଆଲର୍ଟ ମେସେଜ ଆସୁଛି।

ଚିନ୍ତିତ କି? ତାହାଲେ ପଢନ୍ତୁ ଏ ସମ୍ପର୍କିତ ସୂଚନା

ନୂଆଦିଲ୍ଲୀ, ୨୫.୧୦.୨୦୨୩: ଆପଣଙ୍କ ପାଖକୁ ଆସୁଛି କି ଏକ ଏମର୍ଜେନ୍ସି ଆଲର୍ଟ ମେସେଜ? ଆପଣ ବି ଏଥିପାଇଁ ଚିନ୍ତିତ କି? କିନ୍ତୁ ଏଭଳି ମେସେଜ ମୋବାଇଲକୁ ଆସିବା କୌଣସି ଚିନ୍ତାଜନକ ନୁହେଁ କି ଏଥିପାଇଁ ଭୟଭୀତ ହେବାର ନାହିଁ। ଏ ନେଇ ଟେଲିକମ ବିଭାଗ, ଭାରତ ସରକାରଙ୍କ ତରଫରୁ ଚିନ୍ତିତ ନ ହେବା ପାଇଁ ପରାମର୍ଶ ଦିଆଯାଇଛି।

ଭାରତ ସରକାରଙ୍କ ଟେଲିକମ ବିଭାଗ ଡିଜି ଏ ସମ୍ପର୍କିତ ଅଧିକ ସୂଚନା ଦେଇ କହିଛନ୍ତି ଯେ, ଅଲ ଇଣ୍ଡିଆ ଏମର୍ଜେନ୍ସି ଆଲର୍ଟ ସିଷ୍ଟମ ଦ୍ୱାରା ଏହି ମେସେଜ ଦିଆଯାଉଛି। ଏଭଳି ଏମର୍ଜେନ୍ସି ଆଲର୍ଟ ମେସେଜ ବିପର୍ଯ୍ୟୟ ସୂଚନା ପାଇଁ ଟେଷ୍ଟିଂ କରାଯାଉଛି। ସୁନାମୀ, ଭୂମିକମ୍ପ ଓ ବଜ୍ରପାତ ସମ୍ପର୍କିତ ସୂଚନା ସମ୍ବନ୍ଧରେ ଜନ ସାଧାରଣଙ୍କୁ ଆଲର୍ଟ କରାଯିବ। ତେବେ ଆଜି ଦିନ ୧୧ଟାରୁ ଲୋକଙ୍କ ପାଖକୁ ଠିକ ସମୟରେ ମେସେଜ ଯାଇ ପାରୁଛି କି ନାହିଁ ଟେଷ୍ଟ କରିବା ପାଇଁ ଏହି ମେସେଜ ପଠାଯାଉଛି। ଏହି ମେସେଜ ଲୋକମାନଙ୍କ ପାଖକୁ ଗଲା ବେଳେ ଏକ ଆଲର୍ମ ସାଉଣ୍ଡ ହେଉଛି। ଏହି ମେସେଜ ଇଂରାଜୀ ବ୍ୟତୀତ ଆଞ୍ଚଳିକ ଭାଷାରେ ମଧ୍ୟ ପଠାଯାଉଛି। ଏହି ଆଲର୍ଟ ମେସେଜ ଆସିଲେ କୌଣସି ପ୍ରକାର ଭୟଭୀତ ହେବାର ନାହିଁ।