ଯଶବନ୍ତଙ୍କୁ ଢେର ପଛରେ ପକାଇ ଆଗକୁ ବଢିଚାଲିଛନ୍ତି ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଗଣନା ଚାଲିଛି। ଦ୍ୱିତୀୟ ରାଉଣ୍ଡରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗକୁ ବଢିଚାଲିଥିବାବେଳେ ବଡ ବିଜୟ ଆଡକୁ ଅଗ୍ରସର ହେଉଥିବା ଜଣାପଡିଛି।

ବର୍ତ୍ତମାନ ବିଧାୟକମାନଙ୍କର ଭୋଟ ଗଣତି ଚାଲିଛି। ଦ୍ୱିତୀୟ ରାଉଣ୍ଡରେ ଏପର୍ଯ୍ୟନ୍ତ ସମୁଦାୟ ୧୧୩୮ଟି ଭୋଟ ଗଣନା କରାଯାଇଛି, ଯାହାର ମୂଲ୍ୟ ୧,୪୯,୫୭୫ ରହିଛି । ଏହି ରାଉଣ୍ଡରେ ଦ୍ରୌପଦୀ ମୁର୍ମୁ ୮୦୯ଟି ଭୋଟ୍ ପାଇଛନ୍ତି ଯାହାର ମୂଲ୍ୟ ୧,୦୫,୨୯୯ ଥିବାବେଳେ ଯଶୱନ୍ତ ସିହ୍ନା ୩୨୯ଟି ଭୋଟ୍ ପାଇଛନ୍ତି ଯାହାର ମୂଲ୍ୟ ୪୪,୨୭୬ ରହିଛି ।

ରାଜ୍ୟସଭା ସଚିବ ପିସି ମୋଦୀ କହିଛନ୍ତି ଯେ ଦ୍ୱିତୀୟ ରାଉଣ୍ଡ ପରେ ପ୍ରଥମ ଅକ୍ଷର କ୍ରମରେ ୧୦ଟି ରାଜ୍ୟର ବାଲାଟ ପେପର ଗଣାଯାଇଥିଲା, ସେଠାରେ ୧୧୩୮ଟି ବୈଧ ଭୋଟ ରହିଛି। ଏହି ୧୧୩୮ଟି ଭୋଟର ମୋଟ ମୂଲ୍ୟ ୧,୪୯,୫୭୫ ଥିବାବେଳେ ଏଥିରୁ ଦ୍ରୌପଦୀ ମୁର୍ମୁ ୮୦୯ଟି ଭୋଟ୍ ପାଇଥିଲେ, ଯାହାର ମୂଲ୍ୟ ୧,୦୫,୨୯୯ ରହିଛି।