ଅବିବାହିତ ମହିଳାଙ୍କର ବି ଅଛି ଗର୍ଭପାତ ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଅବିବାହିତ ମହିଳାଙ୍କୁ ୨୪ ସପ୍ତାହର ଗର୍ଭକୁ ନଷ୍ଟ କରିବା ପାଇଁ ଅନୁମତି ଦେଇଛନ୍ତି । ଜଷ୍ଟିସ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ବଦଳାଇ କହିଛନ୍ତି, ‘ଅଦାଲତଙ୍କ କାମ ନିଜର ସମ୍ପୂର୍ଣ୍ଣ ବୁଦ୍ଧି ଏବଂ ବିବେକ ବ୍ୟବହାର କରିବା । କୋର୍ଟ କୌଣସି କମ୍ପ୍ୟୁଟର ନୁହେଁ ଯେ, କେବଳ ମେସିନ ପରି ନିଷ୍ପତ୍ତି ଶୁଣାଇବ’।

ସୁପ୍ରିମକୋର୍ଟ କହିଛନ୍ତି, ବିବାହିତ ମହିଳାଙ୍କ ପରି ଅବିବାହିତ ଯୁବତୀଙ୍କୁ ମଧ୍ୟ ଗର୍ଭପାତର ଅଧିକାର ଅଛି । ସୁପ୍ରିମକୋର୍ଟରେ ଦାଖଲ ଏକ ଅବେଦନରେ ମହିଳାଙ୍କ ବିବାହିତ ଏବଂ ଅବିବାହିତ ପ୍ରସଙ୍ଗ ଉଠାଯାଇଥିଲା । ଯାଚିକାରେ କୁହାଯାଇଥିଲା ଯେ, ଆଇନ ଅବିବାହିତ ମହିଳାଙ୍କ ମାମଲାରେ କିଛି କହୁ ନାହିଁ ।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ଖଣ୍ଡପୀଠ କହିଛନ୍ତି, ମହିଳା ଅବିବାହିତ କହି ତାଙ୍କୁ ଗର୍ଭପାତକୁ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ । ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆକ୍ଟ ୨୦୨୧ର ସଂଶୋଧନ କଥା ଉଲ୍ଲେଖ କରି ଖଣ୍ଡପୀଠ କହିଛନ୍ତି, ଏଥିରେ ସ୍ୱାମୀଙ୍କ ସ୍ଥାନରେ ପାର୍ଟନର ଲେଖାଯାଇଛି। କୋର୍ଟ କହିଛନ୍ତି ଏହି କଥା ହିଁ ଆଇନର ଇଚ୍ଛାକୁ ଦର୍ଶାଉଛି ଯେ, ଅବିବାହିତ ମହିଳା ମଧ୍ୟ ଏହାର ପରିସରରେ ଆସୁଛନ୍ତି ।