କ୍ରିକେଟ ବିଶ୍ୱକପ ୨୦୨୩ ଆମର କି?

ନଭେମ୍ବର ୧୯ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ ୨୦୨୩ ଫାଇନାଲ ଖେଳାଯିବ।

ଚାଲନ୍ତୁ ଫେରିଯିବା ପଛକୁ

କ୍ରିକେଟ, ଯୁବପିଢିଙ୍କ ପ୍ରଥମ ପସନ୍ଦିଦା କ୍ରୀଡା। ଆଧୁନିକ ଯୁଗରେ କ୍ରିକେଟ ମାନିଆ ସବୁଠି ଦେଖା ଦେଉଛି। ଯୁବପିଢିଙ୍କଠାରୁ ଆରମ୍ଭ କରି ବରିଷ୍ଠ ପର୍ଯ୍ୟନ୍ତ ସମସ୍ତଙ୍କର କ୍ରିକେଟ ପ୍ରତି ରହିଛି ଅହେତୁକ ଦୁର୍ବଳତା। କ୍ରିକେଟକୁ ନେଇ ରହିଛି କ୍ରେଜ। ଦୁନିଆରେ ଥିବା ସବୁ କ୍ରୀଡା ଇଭେଣ୍ଟ ମଧ୍ୟରୁ କ୍ରିକେଟକୁ ଅଧିକ ଲୋକ ପସନ୍ଦ କରିବା ସହ ଅତି ପାଖରୁ ମ୍ୟାଚର ଭରପୂର ଆନନ୍ଦ ଉଠାଇବା ପାଇଁ ମ୍ୟାଚ ଖେଳା ଯାଉଥିବା ଷ୍ଟାଡିୟମକୁ ଦୂର ଦୂରାନ୍ତରରୁ ମଧ୍ଯ ଦେଖିବା ପାଇଁ ଯାଆନ୍ତି। କ୍ରିକେଟକୁ ନେଇ ମଧ୍ଯ ଅନେକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥାଏ। ଆଉ ସେଥିମଧ୍ୟରୁ କ୍ରିକେଟ ବିଶ୍ୱକପ ଅତି ଲୋକପ୍ରିୟ।

କ୍ରିକେଟ ବିଶ୍ୱକପ୍, ଯାହାକୁ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ କୁହାଯାଏ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରତି ୪ ବର୍ଷରେ ଏହି ବିଶ୍ୱକପ ମ୍ୟାଚ ଆୟୋଜନ କରାଯାଇଥାଏ, ଯେଉଁଥିରେ ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟରେ ଫାଇନାଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥାଏ।

କ୍ରିକେଟ ବିଶ୍ୱକପର ଇତିହାସ:
୧୮୪୪ ମସିହା ସେପ୍ଟେମ୍ବର ୨୪ ଓ ୨୫ ତାରିଖରେ କାନାଡା ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଖେଳାଯାଇଥିଲା। ତେବେ ୧୮୭୭ ମସିହାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକରେ ଉଭୟ ଦଳ ଆଶେସ୍ ପାଇଁ ନିୟମିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଦକ୍ଷିଣ ଆଫ୍ରିକା ୧୮୮୯ରେ ଟେଷ୍ଟ ମାନ୍ୟତା ପାଇଥିଲା। ପରସ୍ପର ଗସ୍ତ ପାଇଁ ପ୍ରତିନିଧି କ୍ରିକେଟ ଦଳ ଚୟନ କରାଯାଇଥିଲା, ଯାହାଫଳରେ ଦ୍ୱିପାକ୍ଷିକ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟକୁ ଏକ ଅଲିମ୍ପିକ୍ ଖେଳ ଭାବରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଠାରେ ଗ୍ରେଟ୍ ବ୍ରିଟେନ୍ ଫ୍ରାନ୍ସକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା।

୧୯୭୫ ମସିହା ଜୁନ୍ ମାସରେ ଇଂଲଣ୍ଡରେ ପ୍ରଥମ ବିଶ୍ୱକପ୍ ଆୟୋଜନ କରାଯାଇଥିଲା। ପ୍ରଥମ ତିନୋଟି ବିଶ୍ୱକପ୍ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବିଶ୍ୱକପ ଟିମରେ ୧୦ଟି ଦେଶ ସଦସ୍ୟ ଭାବେ ଥିବା ବେଳେ ୨୦୦୭ରେ ଆଉ ୪ଟି ଦେଶକୁ ମିଶାଇ ମୋଟ ୧୪ଟି ସଦସ୍ୟ ହେଲେ। ୧୯୮୭ ଟୁର୍ଣ୍ଣାମେଣ୍ଟ ପରଠାରୁ ଏକ ଅନଅଫିସିଆଲ୍ ରୋଟେସନ୍ ସିଷ୍ଟମ୍ ଅଧୀନରେ ଦେଶଗୁଡ଼ିକ ମଧ୍ୟରେ ଆୟୋଜନ କରାଯାଇଛି ଏବଂ ଆଇସିସିର ୧୪ ଜଣ ସଦସ୍ୟ ଟୁର୍ଣ୍ଣାମେଣ୍ଟରେ ଅତି କମରେ ଗୋଟିଏ ମ୍ୟାଚ୍ ଆୟୋଜନ କରିଛନ୍ତି। ଭାରତରେ ୨୦୨୩ ବିଶ୍ୱକପ୍ ଚାଲିଥିବା ବେଳେ ପରବର୍ତ୍ତୀ ୨୦୨୭ ବିଶ୍ବକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ମିଳିତ ଭାବେ ଆୟୋଜନ ହେବ।

ଅଷ୍ଟ୍ରେଲିଆ ୫ ଥର, ଭାରତ ଓ ୱେଷ୍ଟଇଣ୍ଡିଜ୍ ୨ ଥର ଲେଖାଏଁ ଜିତିଥିବା ବେଳେ ପାକିସ୍ତାନ, ଶ୍ରୀଲଙ୍କା ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ବିଶ୍ୱକପ ମ୍ୟାଚ ଜିତିଛନ୍ତି। ୨୦୧୯ ବିଶ୍ୱକପ୍ ସଂସ୍କରଣ ଜିତିବା ପରେ ଇଂଲଣ୍ଡ ବର୍ତ୍ତମାନର ଚାମ୍ପିୟନ ହୋଇଛି। ୧୯୮୩ ଓ ୨୦୧୧ରେ ଭାରତ ବିଶ୍ୱକପ ହାତେଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ୧୯୭୫ ଓ ୧୯୭୯ରେ ୱେଷ୍ଟଇଣ୍ଡିଜ; ୧୯୮୭,୧୯୯୯,୨୦୦୩,୨୦୦୭ ଓ ୨୦୧୫ରେ ଅଷ୍ଟ୍ରେଲିଆ; ୧୯୯୨ରେ ପାକିସ୍ତାନ ; ୧୯୯୬ରେ ଶ୍ରୀଲଙ୍କା ଏବଂ ୨୦୧୯ରେ ଇଂଲଣ୍ଡ ବିଶ୍ୱକପ ଟ୍ରଫି ଜିତିଥିଲା।

ଟୁର୍ଣ୍ଣାମେଣ୍ଟକୁ ଦେଖିଲେ ଭାରତର ଜବରଦସ୍ତ ଫର୍ମ ରହିଛି। ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ନ ହାରି କ୍ରମାଗତ ୧୦ଟି ମ୍ୟାଚ୍ ଜିତିଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଭାରତ ୭୦ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା।

ଅନ୍ୟପକ୍ଷରେ ନଭେମ୍ବର ୧୬ରେ କୋଲକାତାର ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ୩ ୱିକେଟରେ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚରେ ଭାରତ ଠାରୁ ଏବଂ ଲିଗ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାଠାରୁ ଦ୍ୱିତୀୟ ମ୍ୟାଚ୍ ହାରିବା ପରେ ଅଷ୍ଟ୍ରେଲିଆ ୮ଟି ମ୍ୟାଚର ବିଜୟ ଧାରା ବଳରେ ଫାଇନାଲକୁ ଓହ୍ଲାଇଛି।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନଭେମ୍ବର ୧୯ତାରିଖରେ ଖେଳାଯିବାକୁ ଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ଓ ପ୍ୟାଟ୍ କମିନ୍ସଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲକୁ ଉନ୍ନୀତ ହୋଇଛନ୍ତି।

ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏଥର ଫାଇନାଲ ମ୍ୟାଚରେ ଅନେକ ସେଲିବ୍ରିଟିଙ୍କ ବ୍ୟତୀତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଷ୍ଟାଡିୟମରେ ଯାଇ ମ୍ୟାଚ ଦେଖିବା ସହ ଖେଳାଳିଙ୍କୁ ଉତ୍ସାହିତ କରିବେ।