ଭାରତ ଇତିହାସରେ ପ୍ରଥମ ବହୁ ଚର୍ଚ୍ଚିତ ଆଇଟି ରେଡ୍

ଡିଷ୍ଟିଲାରୀ ଗ୍ରୁପ୍ ବିରୋଧରେ ଓଡ଼ିଶାରେ ଆୟକର ଚଢ଼ାଉରେ ୩୫୧ କୋଟି ଟଙ୍କା ଜବତ; 'ସର୍ବକାଳୀନ ସର୍ବୋଚ୍ଚ' ଜବତ

ଜାଣିଛନ୍ତି କି ଜବତ ଟଙ୍କା କିଏ ରଖିବେ? ପଢନ୍ତୁ ସ୍ୱତନ୍ତ୍ର ରିପୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧/୧୨/୨୩: ମଦ ବ୍ୟବସାୟୀ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହଯୋଗୀଙ୍କ ମଦଭାଟିରେ ଆୟକର ବିଭାଗର ଷଷ୍ଠ ଦିନ ଚଢଉରେ ନଗଦ ୩୫୧ କୋଟି ଟଙ୍କା ଜବତ ହୋଇଛି। ଖାଲି ଏତିକି ନୁହେଁ ୧୫ କିଲୋରୁ ଅଧିକ ସୁନା ମଧ୍ୟ ଜବତ କରାଯାଇଛି। ଯେତେ ମାତ୍ରାରେ ଟଙ୍କା ଖୋଜା ଯାଉଥିଲା ସେତେ ସଂଖ୍ୟାରେ ମିଳୁଥିଲା କୋଟି କୋଟି ଟଙ୍କା। ଟଙ୍କା ଗଣା ମେସିନରେ ଟଙ୍କା ଗଣା ହେଲା ବେଳେ ଖରାପ ହୋଇ ଯାଉଥାଏ ମେସିନ। ଆଉ ତା ପରେ ଏସବିଆଇ ବ୍ୟାଙ୍କ କର୍ମଚାରୀ ହାତରେ ବି ଟଙ୍କା ଗଣୁଥିଲେ।

ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ରାଞ୍ଚି ଓ ଅନ୍ୟାନ୍ୟ ସ୍ଥାନରେ ଥିବା ବାସଭବନକୁ ମଧ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଟିକସ ଠକେଇ ଅଭିଯୋଗରେ ଡିସେମ୍ବର ୬ ତାରିଖରେ ଟିକସ କର୍ମଚାରୀ ଏହି ଚଢ଼ାଉ ଆରମ୍ଭ କରିଥିଲେ। ଅନ୍ୟ କେତେକ ସ୍ଥାନ ବ୍ୟତୀତ ୧୦ଟି ଆଲମିରା ନଗଦ ଟଙ୍କା ଭର୍ତ୍ତି ହୋଇଥିବା ଜଣାପଡ଼ିବା ପରେ ସୁରକ୍ଷା କର୍ମୀ, ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କ ସମେତ ୨୦୦ ଅଧିକାରୀଙ୍କୁ ନେଇ ଗଠିତ ଅନ୍ୟ ଏକ ଟିମ୍ ଏଥିରେ ସାମିଲ ହୋଇଥିଲେ। ଓଡ଼ିଶାର ବିଭିନ୍ନ ବ୍ୟାଙ୍କ ଶାଖାରେ ଟଙ୍କା ଜମା କରିବା ପାଇଁ ୨୦୦ ବ୍ୟାଗ୍ ଓ ଟ୍ରଙ୍କ୍ ବ୍ୟବହାର କରାଯାଇଥିଲା।

ସାଂସଦଙ୍କ ଝାଡଖଣ୍ଡସ୍ଥିତ ବାସଭବନ, କାର୍ଯ୍ୟାଳୟ; ବଲାଙ୍ଗୀରସ୍ଥିତ ମଦଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କ ବାସଭବନ, କାର୍ଯ୍ୟାଳୟ, ଗେଷ୍ଟ ହାଉସ;ଟିଟିଲାଗଡର ମଦ ବେପାରୀ ଦୀପକ ସାହୁ, ସଞ୍ଜୟ ସାହୁଙ୍କ ବାସଭବନ ଓ ରିତେଶ ସାହୁଙ୍କ ମଦଭାଟି; ସମ୍ବଲପୁରସ୍ଥିତ ବିଡିପିଏଲ କାର୍ଯ୍ୟାଳୟ ଓ ଧନୁପାଲିସ୍ଥିତ ମଦଭାଟି; ବୌଦ୍ଧ ଜିଲ୍ଲାରେ ଏକ ରାଇସ ମିଲ; ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ବାସଭବନ, କାର୍ଯ୍ୟାଳୟ ଓ ମଦଭାଟି; ବୀରମିତ୍ରପୁର ରାଜେଶ କୁମାର ସାହୁଙ୍କ ମଦଭାଟି, ରାଉରକେଲାର ମଦ ବ୍ୟବସାୟୀ ରାମେଶ୍ଵର ତିୱାରୀଙ୍କ କାର୍ଯ୍ୟାଳୟ ଓ ବାସଭବନ; ରାୟଗଡା ଜିଲ୍ଲାର ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ବାସଭବନ, ଅଫିସ ଓ ହୋଟେଲ ଏବଂ ରାୟଗଡାର ଆଉ ୩ଟି ମଦଭାଟିରେ ମଧ୍ୟ ଚଢାଉ ଜାରି ରହିଥିଲା। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗରେ ମଧ୍ୟ ଚଢାଉ କରି ଯାଇଥିଲା।

ଏହି କଂଗ୍ରେସ ସାଂସଦଙ୍କ ପରିବାର ମାଲିକାନାରେ ଥିବା ଓଡ଼ିଶାର ଏକ ଡିଷ୍ଟିଲରୀ କମ୍ପାନି ବିରୋଧରେ ଆୟକର ବିଭାଗ ଚଢ଼ାଉ କରି ନଗଦ ଟଙ୍କା ଜବତ ହେବାର ୫ ଦିନ ପରେ ୩୫୧ କୋଟି ଟଙ୍କା ଆକଳନ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର କୌଣସି ତଦନ୍ତକାରୀ ସଂସ୍ଥାର ଗୋଟିଏ କାର୍ଯ୍ୟାନୁଷ୍ଠାନରେ ଏହା ସବୁଠାରୁ ଅଧିକ।

କୁହାଯାଉଛି, ଭାରତ ଇତିହାସରେ ଏତେ ବଡ ଧରଣର ବହୁ ଚର୍ଚ୍ଚିତ ଆଇଟି ରେଡ୍ ହେଉଛି ପ୍ରଥମ। ଏହା ପୂର୍ବରୁ ଭାରତରେ ଅନେକ ଆଇଟି ରେଡ୍ ହୋଇଛି। ତନ୍ମଧ୍ୟରୁ କେତେଗୁଡ଼ିଏ ହେଲା, ଅତୀତରେ ଜିଏସଟି ଗୁଇନ୍ଦା ବିଭାଗ କାନପୁରର ଜଣେ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରି ୨୫୭ କୋଟି ଟଙ୍କାର ନଗଦ ଟଙ୍କା ଜବତ କରିଥିବା ବେଳେ ୨୦୧୮ ଜୁଲାଇରେ ତାମିଲନାଡୁର ଏକ ସଡ଼କ ନିର୍ମାଣ ସଂସ୍ଥା ବିରୋଧରେ ଚଢ଼ାଉ ବେଳେ ଆୟକର ବିଭାଗ ୧୬୩ କୋଟି ଟଙ୍କାର ନଗଦ ଟଙ୍କା ଜବତ କରିଥିଲା।

ଏବେ ପ୍ରଶ୍ନ ଉଠୁଛି ଏତେ ଟଙ୍କା ମିଳିଲା ପରେ ଏହି ଟଙ୍କାକୁ କିଏ ନେବ? ଆୟକର ବିଭାଗ ନା ସରକାର? ଏସବିଆଇ ଅଧିକାରୀମାନେ ଜବତ ହୋଇଥିବା ଟଙ୍କାକୁ ଗଣନା କରନ୍ତି। ଏହାକୁ ବାକ୍ସରେ ସିଲ୍ କରି ବ୍ୟାଙ୍କକୁ ପଠାଯାଏ। ଏବଂ ମାମଲାର ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ବ୍ୟାଙ୍କରେ ଏହି ଟଙ୍କା ରଖା ଯାଇଥାଏ। ଯଦି ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ନଗଦ ଟଙ୍କା କେନ୍ଦ୍ରର ସମ୍ପତ୍ତିରେ ପରିଣତ ହୋଇଯାଏ। ଯଦି ତଥାକଥିତ ଅଭିଯୁକ୍ତ ଦୋଷମୁକ୍ତ ହେବେ ତାହାଲେ ନଗଦ ଟଙ୍କା ତାଙ୍କୁ ଫେରାଇ ଦିଆଯାଏ।