ଓଡ଼ିଶାର ୧୦ ଜିଲ୍ଲାରେ ହେବ ଭାରତ ନ୍ୟାୟ ଯାତ୍ରା

ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଥିବା କଂଗ୍ରେସର ଭାରତ ନ୍ୟାୟ ଯାତ୍ରାରେ ୧୦ ଜିଲ୍ଲା ପରିକ୍ରମା କରିବେ ରାହୁଲ ଗାନ୍ଧି।

ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଛି ଭାରତ ନ୍ୟାୟ ଯାତ୍ରା

ଭୁବନେଶ୍ବର, ୦୩/୦୧/୨୩: ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଛି କଂଗ୍ରେସର ଭାରତ ନ୍ୟାୟ ଯାତ୍ରା। ୧୫୦ ଦିନ ଧରି ଚାଲିବାକୁ ଥିବା ଏହି ନ୍ୟାୟ ଯାତ୍ରାରେ ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଏବଂ ଶେଷରେ ମହାରାଷ୍ଟ୍ର ରାଜ୍ୟ ଗୁଡ଼ିକରେ ପରିକ୍ରମା କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି।

ରାହୁଲ ଗାନ୍ଧି ପ୍ରଥମେ ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡ ଯାଇ ପରେ ଓଡ଼ିଶା ଯାତ୍ରା କରିବାର ସମ୍ଭାବନା ରହିଛି। ପ୍ରଥମେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର (ଖୋର୍ଦ୍ଧା), ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଗସ୍ତ କରିବେ ରାହୁଲ। ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଶରତ ପଟ୍ଟନାୟକ।

୨୦୨୪ ନିର୍ବାଚନରେ ଦଳ ୯୦ଟି ବିଧାନସଭା ଆସନ ଜିତିବା ଲକ୍ଷ୍ୟରେ ଅଛି। ଏହା ସହ ୨୦୧୯ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ହାରିଥିବା ଏବଂ ସାଂଗଠନିକ ଶକ୍ତି ଥିବା ପ୍ରାର୍ଥୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ବୁଧବାର ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସେ ଏହା କହିଛନ୍ତି।