ବିଡିଏର ପ୍ରବର୍ତ୍ତନ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ

ପ୍ରବର୍ତ୍ତନ ପାଇଁ ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦବୀ ସୃଷ୍ଟି ହେବ। ଏହା ଦ୍ୱାରା ବିଭିନ୍ନ ଜବରଦଖଲ କାର୍ଯ୍ୟ ତ୍ବରାନ୍ବିତ ହେବ।

୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, ୦୪/୦୧/୨୩: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ପ୍ରବର୍ତ୍ତନ କାର୍ଯ୍ୟରେ ବିଭିନ୍ନ ସମସ୍ୟା ଉପୁଜୁଥିଲା। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପ୍ରବର୍ତ୍ତନ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦବୀ ଗୁଡିକ ରାଜ୍ୟ ପୋଲିସ୍‌ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ।

ଏହି ପଦବୀଗୁଡିକ ହେଲା- ୧ଟି ସହକାରୀ ପୋଲିସ କମିଶନର, ୬ଟି ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଅଫ୍ ପୁଲିସ ଏବଂ ୬୦ଟି ପୋଲିସ କନଷ୍ଟେବଳ ପଦବୀ।

ଭୁବନେଶ୍ୱର ପୂର୍ବ ଭାରତର ଏକ ଦୃତ ଅଭିବୃଦ୍ଧିଶୀଳ ସହର। ସହରାଞ୍ଚଳ ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀଗୁଡିକ କାର୍ଯ୍ୟ କରିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ସମଗ୍ର ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଜଏଣ୍ଟ ଟିମ୍ ଓ ୫ଟି ରିଜର୍ଭ ଟିମର ଆବଶ୍ୟକତା ଥିଲା। ପ୍ରତି ଟିମ୍‌ରେ ୨ଜଣ ପୁଲିସ୍‌ କନେଷ୍ଟବଳ ରହିବେ। ଏହି ଟିମ୍‌ଗୁଡିକର ସମନ୍ୱୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାଣ୍ଟ କମିଶନର, ୬ ଜଣ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର କାର୍ଯ୍ୟ କରିବେ।

ଏହି ପଦବୀଗୁଡିକ ପୂରଣ ଦ୍ୱାରା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସହଜ ଓ ତ୍ୱରାନ୍ୱିତ ହେବ।