ଆଜି ବିଜୁ ବାବୁଙ୍କ ୧୦୮ତମ ଜୟନ୍ତୀ

ରାଜ୍ୟରେ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହେଉଛି। ଅଛି ବିଭିନ୍ନ ସ୍ଥାନରେ ବିଜୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି।

ପ୍ରବାଦ ପୁରୁଷଙ୍କୁ କୋଟି କୋଟି ପ୍ରଣାମ

ଭୁବନେଶ୍ବର, ୦୫/୦୩/୨୦୨୪: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମବାର୍ଷିକୀ ରାଜ୍ୟ ବ୍ୟାପୀ ପାଳନ କରାଯାଉଛି। ଏହି ମହାନ ନେତା ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକଠାରେ ଲକ୍ଷ୍ମୀନାରାୟଣ ଓ ଆଶାଲତା ପଟ୍ଟନାୟକଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ଏରୋନୋଟିକାଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରୁ ଏରୋନୋଟିକ୍ସରେ ଡିଗ୍ରୀ ହାସଲ କରିବା ପରେ ବିଜୁବାବୁ ଇଣ୍ଡିଆନ ନ୍ୟାସନାଲ ଏୟାରୱେଜରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

୧୯୪୫ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରି ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବିଜୁ ପଟ୍ଟନାୟକ। ଏହି ଆନ୍ଦୋଳନରେ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡିଥିଲା। ପରବର୍ତ୍ତୀ ସମୟରେ ବିଜୁବାବୁ ନେପାଳ ଗଣତାନ୍ତ୍ରିକ ଆନ୍ଦୋଳନ ଓ ଇଣ୍ଡୋନେସିଆର ଡଚ୍ ଶାସନରୁ ମୁକ୍ତି ସଂଗ୍ରାମରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମି ପୁତ୍ର’ ପ୍ରଦାନ କରାଯାଇଥିଲା।

ବିଜୁ ବାବୁ ୧୯୬୧ରୁ ୧୯୬୩ ଓ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ନୂଆଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଥିଲା। ବିଜୁ ବାବୁଙ୍କ ଦ୍ୱାରା ଗଠିତ ହୋଇଥିବା ପରେ ବିଜୁ ଜନତା ଦଳର ମଙ୍ଗ ଧରିଥିଲେ ତାଙ୍କ ପୁଅ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଅବସରରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ତାଙ୍କ ଜନ୍ମଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ବ୍ୟତୀତ ବିଜେଡି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଅନେକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।