ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ୧୮.୪୫ କୋଟି ଟଙ୍କାର ୬୦୨ଟି ପ୍ରକଳ୍ପକୁ ମଞ୍ଜୁରୀ

ସମ୍ବଲପୁର ଓ ଦେବଗଡ଼ରେ ଆସିଥିବା ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ଆଜି ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ଦେଇଛନ୍ତି।

ଯେଉଁ ଦିନ ଅଭିଯୋଗ ସେହି ଦିନ ସମାଧାନ

ଭୁବନେଶ୍ଵର, ୦୭/୦୩/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବଲପୁର ଜିଲ୍ଲାର ଜମନକିରାସ୍ଥିତ ମିନି ଷ୍ଟାଡିୟମ, ନକଟିଦେଉଳ ଓ ସୁବନପଲ୍ଲୀ ଧନୁଯାତ୍ରା ପଡ଼ିଆରେ ଉପସ୍ଥିତ ଥିବା ଜନସାଧାରଣ ଏବଂ ଦେବଗଡ଼ ଜିଲ୍ଲା ବାରକୋଟ ସ୍ଥିତ ତିଲେଇବାଣୀ ହାଇସ୍କୁଲ ପଡ଼ିଆ ଓ ବାହାଡ଼ାପୋଷି ପଡ଼ିଆରେ ଉପସ୍ଥିତ ଥିବା ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ସଭାସ୍ଥଳରେ ଉପସ୍ଥିତ ଲୋକଙ୍କଠାରୁ ମିଳିଥିବା ଅଭିଯୋଗକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଜିଲ୍ଲାରେ ୧୦.୨୭ କୋଟି ଟଙ୍କା ବ୍ୟୟରେ ୩୧୦ଟି ପ୍ରକଳ୍ପ ଏବଂ ଦେବଗଡ଼ ଜିଲ୍ଲାରେ ୮.୧୮ କୋଟି ଟଙ୍କା ବ୍ୟୟରେ ୨୯୨ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ। ଆବେଦନକାରୀଙ୍କ ମୋବାଇଲ ଫୋନ୍ ଜରିଆରେ ସେମାନଙ୍କୁ ମଞ୍ଜୁରୀ ଆଦେଶ ମଧ୍ୟ ପଠାଯାଇଥିଲା।

ପାଣ୍ଡିଆନ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଗତ ବର୍ଷ ଜୁଲାଇମାସରେ ସେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ଗସ୍ତ କରିବା ପରଠାରୁ ଆବେଦନ ଓ ମତାମତ ଆଧାରରେ ଉଭୟ ଜିଲ୍ଲାରେ ୬୩୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି।