ଆହୁରି ଘନେଇଲା ମେଣ୍ଟ ଚର୍ଚ୍ଚା

କାଲିଠାରୁ ଆଜିଯାଏଁ ବିଜେଡି-ବିଜେପି ମେଣ୍ଟ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।

ଘଡିକେ ଘଡି ମିଳୁଛି ବ୍ରେକିଂ ନ୍ୟୁଜ୍

ଭୁବନେଶ୍ବର, ୦୭/୦୩/୨୦୨୪: ରାଜ୍ୟରେ ବିଜେଡି ଆଉ ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ। ଏହାକୁ ନେଇ ଘଡିକେ ଘଡି ମିଳୁଛି ବ୍ରେକିଂ ନ୍ୟୁଜ୍। କାଲିଠୁ ମେଣ୍ଟ ସମ୍ଭାବନା ନେଇ ତର୍କ ବିତର୍କ ଲାଗି ରହିଛି। କାଲି ଅପରାହ୍ନରେ ନବୀନ ନିବାସରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ସେପଟେ ଦିଲ୍ଲୀରେ ବି ରାଜ୍ୟ ବିଜେପି ନେତାଙ୍କୁ ନେଇ ବସିଥିଲା ଉଚ୍ଚ ସ୍ତରୀୟ ବୈଠକ।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲେ ରାଜ୍ୟର ୨୦ ନେତା। ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ଅରୁଣ ସାହୁ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଠିକ୍ ନିଷ୍ପତ୍ତି ନେବେ। ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା ଯେ ମେଣ୍ଟ ସମ୍ପୁର୍ଣ୍ଣ ଚୂଡାନ୍ତ ହୋଇସାରିଛି। କେବଳ ଘୋଷଣାକୁ ବାକି ଅଛି।

ସେହିପରି ନୂଆଦିଲ୍ଲୀରେ ମଧ୍ୟ ସମାନ ଅବସ୍ଥା ଦେଖା ଦେଇଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର, ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଏବଂ ଜୁଏଲ ଓରାମ ପ୍ରମୁଖ ଓ କୋର୍ କମିଟି ନେତାଙ୍କ ସହ ବୈଠକ ବସିଥିଲା। ବୈଠକ ପରେ ଜୁଏଲ ଓରାମ ଗଣମାଧ୍ୟମରେ କହିଥିଲେ, ରାଜ୍ୟ ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇଥିଲା। ମେଣ୍ଟ ସମ୍ପର୍କରେ ଚର୍ଚ୍ଚା ହୋଇଛି କିନ୍ତୁ କେନ୍ଦ୍ରୀୟ ନେତା ନିଷ୍ପତ୍ତି ନେବେ। ଯାହା ମେଣ୍ଟ ଗଠନର ଇସାରା ଦେଇଥିଲେ ଜୁଏଲ।

କାଲିଠାରୁ ଆଜିଯାଏଁ ଏ ନେଇ ଆଞ୍ଚଳିକ ଗଣମାଧ୍ୟମ ସହ ଜାତୀୟ ଗଣମାଧ୍ୟମ ଦିନତମାମ ଖବର ପରିବେଷଣ କରୁଛି। ସମସ୍ତଙ୍କ ନଜର ସେହି ମେଣ୍ଟ ଉପରେ। ଦୋହରିବକି ୧୫ ବର୍ଷ ତଳର ସେହି ରାଜନୈତିକ ମେଣ୍ଟ। ଆଉ ଆଜି ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ନବୀନ ଓଡ଼ିଶା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦିଲ୍ଲୀ ଗସ୍ତ। ମେଣ୍ଟ ଆଲୋଚନା ଆଗେଇ ନେବାକୁ ଦିଲ୍ଲୀ ଯାଇଛନ୍ତି ଦଳର ଏହି ଦୁଇ ନେତା। ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଯାଇଛନ୍ତି ଭିକେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ। ଆସନ୍ତା କାଲି ସକାଳେ ଆଉ କିଛି ନେତା ଦିଲ୍ଲୀ ଯିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ତେବେ ମେଣ୍ଟ ସମ୍ପୂର୍ଣ୍ଣ ପକ୍କା ବୋଲି ଏହି ଘଟଣାରୁ ସ୍ପଷ୍ଟ ଜଣା ପଡୁଛି।