ଟାଟୁ କରି ପାରିବେନି ପୋଲିସ ଅଧିକାରୀ

ପୋଲିସ ଅଧିକାରୀମାନେ ଟାଟୁ ନକରିବା ପାଇଁ ଓଡ଼ିଶା ପୁଲିସ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ନିର୍ଦ୍ଦେଶ ଦେଇଛି।

ଥିଲେ ୧୫ ଦିନ ଭିତରେ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର, ୧୦/୦୪/୨୦୨୪: ରାଜ୍ୟରେ ପୋଲିସ ଅଧିକାରୀ କରି ପାରିବେନି ଟାଟୁ। ଯଦି ଟାଟୁ ଥାଏ, ତାହାଲେ ତାକୁ ୧୫ ଦିନ ଭିତରେ ଲିଭାଇବେ ପୋଲିସ ଅଧିକାରୀ। ଏ ନେଇ ଓଡ଼ିଶା ପୁଲିସ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ପକ୍ଷରୁ ସୁରକ୍ଷା ବାହିନୀ ଓ କମିଶନରେଟ ପୋଲିସ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ।

ବିଜ୍ଞପ୍ତି ଅନୁଯାୟୀ, ବହୁ ସଂଖ୍ୟକ ପୋଲିସ ଅଧିକାରୀଙ୍କ ଶରୀରରେ ଟାଟୁ ଥିବାର ଦେଖିବାକୁ ମିଳୁଛି। ଏହି ଟାଟୁ ବାଟାଲିୟନ ଏବଂ ଓଡ଼ିଶା ପୋଲିସର ସ୍ୱଚ୍ଛ ଭାବମୂର୍ତ୍ତିକୁ ଅପମାନିତ କରୁଛି। ତେଣୁ ପୁଲିସ ମାନଙ୍କ ପାଇଁ ଟାଟୁ ନିଷିଦ୍ଧ କରାଯାଇଛି। ଆଜିଠାରୁ ୟୁନିଫର୍ମ ପିନ୍ଧିବା ସମୟରେ ଦୃଶ୍ୟମାନ ହେଉଥିବା ଟାଟୁକୁ ଅନୁମତି ଦିଆଯିବ ନାହିଁ। ପୋଲିସ ଅଧିକାରୀଙ୍କ ଶରୀରରେ ଟାଟୁ ଥିଲେ ୧୫ ଦିନ ମଧ୍ୟରେ ସ୍ଥାୟୀ ଭାବରେ ଟାଟୁ ଲିଭାଇବେ। ଯଦି କୌଣସି ପୋଲିସ ଅଧିକାରୀ ଏହି ନିର୍ଦ୍ଦେଶକୁ ଖିଲାପ କରନ୍ତି ତାହାଲେ ତାଙ୍କ ବିରୋଧରେ ଆବଶ୍ୟକୀୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।