ଜାନକୀବଲ୍ଲଭ ସ୍ମୃତି ସମ୍ମାନ ପାଇବେ ପୂର୍ବତନ ବିଧାୟକ ରାଧାନାଥ ପଣ୍ଡା, ବିଜୟାନନ୍ଦ ସିଂହ ଓ ପରିକ୍ଷୀତ ପାତ୍ର

ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ଅବସରରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନଜନକ ଜାନକୀବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ କରାଯିବ।

ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ଆୟୋଜନ

ଭୁବନେଶ୍ୱର, ୧୦/୦୪/୨୦୨୪: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ନୂତନ ଓଡ଼ିଶାର ପ୍ରକୃତ ବିନ୍ଧାଣୀ ପ୍ରଜ୍ଞାପୁରୁଷ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ପାଇଁ ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ବୁଧବାର ପୂର୍ବାହ୍ନରେ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଫେସର ଡ଼ଃ ବିମଳେନ୍ଦୁ ମହାନ୍ତିଙ୍କ ନୂଆପଲ୍ଲୀସ୍ଥିତ ବାସଭବନରେ ଡ଼ଃ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ସାଧାରଣ ସମ୍ପାଦକ ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେବା ପରେ କୋଷାଧ୍ୟକ୍ଷ ଡ଼ଃ ବଦ୍ରୀନାଥ ପଟ୍ଟନାୟକ, ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବଲାଙ୍ଗୀରର ପୂର୍ବତନ ବିଧାୟକ ରାଧାନାଥ ପଣ୍ଡା, ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଫେସର ଡ଼ଃ ବିଜୟାନନ୍ଦ ସିଂହ ଏବଂ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ କେନ୍ଦ୍ରାପଡାର ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ରଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉପରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ପାଇଁ ସମାଜସେବୀ ନିବେଦିତା ଭଞ୍ଜଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୨୧ ସନ୍ଧ୍ୟା ୬ଟା ସମୟରେ ସତ୍ୟନଗରସ୍ଥିତ ହୋଟେଲ ରୟାଲ ସୁଟରେ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ସାଧାରଣ ସମ୍ପାଦକ ଡ଼ଃ ଜ୍ଞାନେନ୍ଦ୍ର ପ୍ରକାଶ କରିଥିଲେ।