ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଇସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମୟ ନିର୍ଦ୍ଧାରଣ କଲା ଇସିଆଇ

ନୂଆଦିଲ୍ଲୀ, ୧୮/୦୪/୨୦୨୪: ଆସନ୍ତା ୧୩ ତାରିଖରେ ହେବାକୁ ଯାଉଛି ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଓ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥାକ୍ରମେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଏବଂ ୨୮ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାତା ମତଦାନ କରି ପାରିବେ। ଏ ନେଇ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି।

ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କଶ୍ମୀର ସମେତ ୧୦ଟି ରାଜ୍ୟର ୯୬ଟି ଲୋକସଭା ଆସନ ପାଇଁ ମତଦାନ ହେବ। ଏହି ସବୁ ରାଜ୍ୟର ପ୍ରାର୍ଥୀମାନେ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏପ୍ରିଲ ୨୬ରେ ନାମାଙ୍କନପତ୍ର ଯାଞ୍ଚ ହେବ ଏବଂ ଏପ୍ରିଲ ୨୯ରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ସେହିପରି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ମେ ୨୦, ତୃତୀୟ ପର୍ଯ୍ୟାୟ ମେ ୨୫ ଓ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଜୁନ୍ ୧ ତାରିଖରେ ହେବ। ଜୁନ୍ ୪ତାରିଖରେ ଫଳାଫଳ ପ୍ରକାଶ ପାଇବ।