ବିଜେଡ଼ିରେ ଯୋଗଦେଲେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଆଦିବାସୀ ସଂଘର ନେତା

କଳାହାଣ୍ଡି ଜିଲ୍ଲାର ଆଦିବାସୀ ସଂଘ ସଭାପତି ଦ୍ରୋଣାଚାର୍ଯ୍ୟ ମାଝୀଙ୍କ ନେତୃତ୍ୱରେ ବିଭିନ୍ନ କର୍ମକର୍ତ୍ତା ବିଜେଡିରେ ସାମିଲ ହୋଇଛନ୍ତି।

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର, ୨୩/୦୪/୨୦୨୪: କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ଦ୍ରୋଣାଚାର୍ଯ୍ୟ ମାଝୀ ଓ ଜିଲ୍ଲାର ବିଭିନ୍ନ ଆଦିବାସୀ ସଂଘର ନେତା ଓ କର୍ମକର୍ତ୍ତା ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ବିଭିନ୍ନ ଆଦିବାସୀ ସଂଘର କର୍ମକର୍ତ୍ତାଙ୍କ ଯୋଗଦାନ ଫଳରେ କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ବଳବନ୍ତରାୟ କହିଥିଲେ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ଉପସଭାପତି ଦ୍ରୋଣାଚାର୍ଯ୍ୟ ମାଝୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।
ଏହି ମିଶ୍ରଣ ପର୍ବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପଦ୍ମସିଂହ ମାଝୀ, କନ୍ଧ ସମାଜର ପୂର୍ବତନ ସଭାପତି ଦୁର୍ଯ୍ୟୋଧନ ମାଝୀ, ପୂର୍ବତନ ସରପଞ୍ଚ ଜଗବନ୍ଧୁ ଭୋଇ, ମିର୍ଧା ସମାଜ ସଭାପତି ସ୍ୱମ୍ବର ମିର୍ଧା, ଗଣ୍ଡ ମହାସଭା ସଭାପତି ପଦ୍ମନ ପାତ୍ର, ଲୋଚନ ଧାରୁଆ, ଶହଦେବ ଧାରୁଆ, ସମ୍ବଦ ବରିହା ଓ ସୁରୁ ବରିହାଙ୍କ ସମେତ ବହୁ କର୍ମକର୍ତ୍ତା ବିଜେଡ଼ିରେ ସାମିଲ ହୋଇଥିଲେ ।