ଆଜିଠୁ ଆରମ୍ଭ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା

ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନରେ ମତଦାନ ହେବ।

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୯୪.୪୧ ଲକ୍ଷ ଭୋଟର

ଭୁବନେଶ୍ବର, ୨୯/୦୪/୨୦୨୪: ଆସନ୍ତା ମେ’ ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ମୁଖ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜ୍ଞପ୍ତି ଅନୁସାରେ, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ମେ’ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୭ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ସେହିପରି ମେ ୯ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ।

ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ମୋଟ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନପାଇଁ ମତଦାନ ହେବ। କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ସାବ୍ୟସ୍ତ କରିବେ ଭୋଟର। ଏହି ପର୍ଯ୍ୟାୟରେ ୯୪ ଲକ୍ଷ ୪୧ ହଜାର ୭୭୯ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରେ ୪୮ ଲକ୍ଷ ୨୬ ହଜାର ୩୭୫ ଜଣ ପୁରୁଷ ଭୋଟର ଓ ୪୬ ଲକ୍ଷ ୧୪ ହଜାର ୧୩୪ ଜଣ ମହିଳା ଭୋଟର ଅଛନ୍ତି। ସମୁଦାୟ ଭୋଟରଙ୍କ ମଧ୍ୟରୁ ନୂଆ ଭୋଟରଙ୍କ ସଂଖ୍ୟା ୩୫ ହଜାର ୭୬୪ ରହିଛି। ମତଦାନ ପାଇଁ ମୋଟ ୧୦,୫୧୫ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।