ଆଜି ବିଶ୍ୱ ସାଇକେଲ ଦିବସ

୨୦୧୮ ମସିହାରୁ ଜୁନ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ଭାବରେ ପାଳନ କରାଯାଉଛି।

ପରିବହନର ଉତ୍କୃଷ୍ଟ ମାଧ୍ୟମ ସାଇକେଲ

ଭୁବନେଶ୍ବର, ୦୩/୦୬: ଆଜି ବିଶ୍ୱ ସାଇକେଲ ଦିବସ। ପରିବହନର ସବୁଠୁ ପୁରୁଣା, ଅତ୍ୟାବଶ୍ୟକ ଏବଂ ସର୍ବୋତ୍ତମ ମାଧ୍ୟମ। ସାଇକେଲ ଚଳାଇଲେ ଶରୀର ସୁସ୍ଥ ରହିବା ସହ ପରିବେଶ ଅନୁକୂଳ ମଧ୍ୟ ହୋଇଥାଏ। ସାଇକେଲ ଚଳାଇବାର ଧାରା ବହୁ ପୁରୁଣା ଏବଂ ସୌଖିନ ମଧ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସୂଚାଇ ଦେଇଛି ଯେ ସୁସ୍ଥ ଜୀବନଯାପନ ଶୈଳୀ ଦୃଷ୍ଟିରୁ ସାଇକେଲ ଚାଳନା ଏକ ଉତ୍ତମ ମାଧ୍ୟମ।

ସାଇକେଲକୁ ଭାରତରେ ଏକ ଷ୍ଟାଟସର ସିମ୍ବଲ ହିସାବରେ ଗ୍ରହଣ କରାଯାଏ। ପ୍ରାୟତଃ ଭାରତରେ ଲୋକ ଭାବନ୍ତି ଯେ, ସାଇକେଲ ଚଳାଇଲେ ଜଣେ ଗରିବ ହୋଇଥାଏ। କିନ୍ତୁ ଏବେ ଧିରେ ଧିରେ ଏହି ବିଚାରଧାରା ବଦଳିବାରେ ଲାଗିଛି। ଏବେ ସୁସ୍ଥ ରହିବା ପାଇଁ ଏକ୍ସରସାଇଜରେ ସାଇକେଲିଂକୁ ଏକ ପ୍ରମୁଖ ବ୍ୟାୟାମ ବୋଲି ଭାବୁଛନ୍ତି। ସାଇକେଲ ଚଳାଇବା ଦ୍ୱାରା ପରିବେଶ ମଧ୍ୟ ପ୍ରଦୂଷିତ ହୁଏ ନାହିଁ। ନା ଏଥିରୁ ବିଷାକ୍ତ ଧୂଆଁ ବାହାରେ ନା ଶବ୍ଦ ପ୍ରଦୂଷଣ ହୁଏ ନା ପେଟ୍ରୋଲ ଖର୍ଚ୍ଚ ହୁଏ। ସେଥିପାଇଁ ଏହା ପରିବେଶ ଉପରେ କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିନଥାଏ।

୨୦୨୨ରେ ଭାରତରେ ୬୭ ପ୍ରତିଶତ ଲୋକଙ୍କ ପାଖରେ ସାଇକେଲ ରହିଥିବା ବେଳେ ୩୦ ପ୍ରତିଶତ ଲୋକ ସାଇକେଲ ଚଲାଇବାକୁ ଗରିବୀର ପ୍ରତୀକ ବୋଲି ଭାବୁଥିଲେ। ୪ ପ୍ରତିଶତ ଲୋକ ନିଜକୁ ଫିଟ୍ ରଖିବା ପାଇଁ ସାଇକେଲ ଚଳାଉଥିଲେ। କିନ୍ତୁ ଏହାର ଠିକ୍ ଅପରୂପ ହେଉଛି ଆମେରିକୀୟମାନଙ୍କ ଚିନ୍ତାଧାରା। ଆମେରିକାର ଲୋକେ ଧନୀ ହୋଇଥିଲେ ମଧ୍ୟ ୬୦ ପ୍ରତିଶତ ଲୋକ ସାଇକେଲ ଚଲାନ୍ତି।

୧୯୨୦ରେ ଭାରତରେ ସାଇକେଲକୁ ଏକ ସଉକ ଭାବରେ ବ୍ୟବହାର କରୁଥିଲେ। ଏପରିକି ୧୯୨୦ରୁ ୧୯୬୫ ମସିହା ପର୍ଯ୍ୟନ୍ତ ଭାରତରେ ବାହାଘର ବେଳେ ବରକୁ ଯୌତୁକ ଆଧାରରେ ସାଇକେଲ ଦିଆ ଯାଉଥିଲା। କିନ୍ତୁ ସମୟ ସହିତ ବଦଳିଥିଲା ସାଇକେଲର ଗୁରୁତ୍ୱ। ସାଇକେଲକୁ ନେଇ ଲୋକଙ୍କ ମନରେ ଗରିବୀ ଚିନ୍ତାଧାରା ଆସୁଥିଲା। ହେଲେ, ଏବେ ଦିନକୁ ଦିନ ଲୋକଙ୍କ ବିଚାରଧାରା ବଦଳୁଛି। ଅସୁସ୍ଥ ଜୀବନଶୈଳୀ ଦ୍ୱାରା ରୋଗଗ୍ରସ୍ତ ହେଉଥିବା ମଣିଷ ଏବେ ସାଇକେଲର ଗୁରୁତ୍ୱ ବିଷୟରେ ବୁଝୁଛନ୍ତି। ଏବେ ଲୋକଙ୍କ ଆବଶ୍ୟକତା ଅନୁସାରେ ବଜାରରେ ବିଭିନ୍ନ ପ୍ରକାର ସାଇକେଲ ଆସୁଛି।

୨୦୧୮ ମସିହା ଏପ୍ରିଲ ୧୨ ତାରିଖରେ ମିଳିତ ଜାତିସଂଘ ସାଧାରଣ ସଭାର ୭୨ତମ ନିୟମିତ ଅଧିବେଶନରେ ଗୃହୀତ ସଂକଳ୍ପ କ୍ରମେ ୨୦୧୮ ଜୁନ୍ ୩ ତାରିଖରେ ପ୍ରଥମ ଥର ପାଇଁ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଇଥିଲା। ୧୯୩ଟି ସଦସ୍ୟ ରାଷ୍ଟ୍ର ଏହି ସଂକଳ୍ପକୁ ସମର୍ଥନ କରିଥିଲେ। ସାଇକେଲ ଚାଳନା ସମ୍ପର୍କିତ ଶିକ୍ଷାକୁ ସୁଦୃଢ଼ କରିବା, ସହନଶୀଳତାକୁ ପ୍ରୋତ୍ସାହିତ କରିବା, ସାଇକେଲ ଚାଳନା ଦ୍ୱାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା, ଶାରୀରିକ ବ୍ୟାୟାମକୁ ପ୍ରୋତ୍ସାହିତ କରିବା ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣକୁ ସୁଗମ କରିବା ସମେତ ସାଇକେଲ ଚାଳନାର ବିଭିନ୍ନ ଉପକାରିତାକୁ ପ୍ରୋତ୍ସାହିତ କରିବା ଏହି ଦିବସର ଉଦ୍ଦେଶ୍ୟ। ୨୦୨୪ ବିଶ୍ୱ ସାଇକେଲ ଦିବସର ଥିମ ହେଉଛି “Promoting Health, Equity, and Sustainability through Cycling.”