ଇଶ୍ଵର ମନୁଷ୍ୟ କୁ ଜନ୍ମ ଦେଇଛନ୍ତି, ସମସ୍ତ ପ୍ରାଣୀଙ୍କ ଠାରୁ ଶ୍ରେଷ୍ଠ ପ୍ରାଣୀ ଭାବରେ। ଆଉ ତାକୁ ଦିଅନ୍ତି ସ୍ନେହ, ପ୍ରେମ ଓ କରୁଣା ସହିତ ଅସମ୍ଭବ କୁ ସମ୍ଭବ କରିବାର ଶକ୍ତି ।
କିଛି ନା କିଛି ନୂଆ ସୃଷ୍ଟି କରିବାରେ ମଣିଷ ସବୁବେଳେ ଚେଷ୍ଟିତ ଥାଏ। ବୈଜ୍ଞାନିକ ମାନଙ୍କ ଗବେଷଣା ଯୁଗ ଯୁଗ ଧରି ଜାରି ରହିଛି। ଚିକିତ୍ସା ବିଜ୍ଞାନ ରେ ମଧ୍ୟ ବହୁତ ଉନ୍ନତି ହେଲାଣି। ଅନେକ ରୋଗର ନିରାକରଣ ପାଇଁ ଔଷଧ ବାହାରି ସାରିଲାଣି। କିନ୍ତୁ ଏମିତି କିଛି ରୋଗ ଅଛି, ଯାହାର ନିରାକରଣ ପାଇଁ ଆଜି ମଧ୍ୟ ଗବେଷଣା ଚାଲିଛି।
ସମସ୍ତେ ଚାହାଁନ୍ତି ଏକ ସୁସ୍ଥ ଶରୀର। କିନ୍ତୁ ଭାଗ୍ୟ ଓ ଭବିଷ୍ୟତ କାହାରି ମଧ୍ୟ ଅଧିନରେ ନଥାଏ। ଆମର ଅନିଚ୍ଛା ସତ୍ତ୍ବେ ମଧ୍ୟ ଆମକୁ ବେଳେବେଳେ ଡାକ୍ତରଖାନା ଜିବା ପାଇଁ ପଡିଥାଏ। ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରି ଆମେ ସୁସ୍ଥ ହୋଇଯାଉ। କିନ୍ତୁ ଯେତେବେଳ ଦୁର୍ଭାଗ୍ୟ ଆସେ , ଜଣାପଡେ ମନୁଷ୍ୟ କେତେ ଅସହାୟ। ଦୂରାରୋଗ୍ୟ ବ୍ୟାଧିରେ ପୀଡିତ ଜଣେ ବ୍ୟକ୍ତି ଯେ କେତେ ଅସହାୟ, ତାହା ଭୁକ୍ତଭୋଗି ହିଁ ଅନୁଭବ କରିପାରିବ।
ଅନେକ ସମୟରେ ଅର୍ଥାଭାବରୁ ଚିକିତ୍ସାରେ ଅବହେଳା ହୋଇଥାଏ। କିନ୍ତୁ କେତେକ ଦୂରାରୋଗ୍ୟ ବ୍ୟାଧିରେ ଅର୍ଥ ଥିଲେ ମଧ୍ୟ ସଂପୂର୍ଣ୍ଣ ଚିକିତ୍ସା ସମ୍ଭବ ନୁହେଁ। କେତେକ ରୋଗରେ ଅଙ୍ଗ ପ୍ରତ୍ୟାରୋପଣ ର ମଧ୍ୟ ଆବଶ୍ୟକତା ପଡିଥାଏ। ବେଳେବେଳେ ରୋଗୀକୁ ପ୍ରତ୍ୟାରୋପଣ ପାଇଁ ସଠିକ ଅଙ୍ଗ ଟିଏ ମିଳି ନଥାଏ ଆଉ ରୋଗୀ ଭିତରେ ଚାଲିଥାଏ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଗ୍ରାମ।
ଭଗବାନ ଆମକୁ ବହୁତ କିଛି ଦେଇଛନ୍ତି। ଆମେ ଚାହିଁଲେ ସେଥିମଧ୍ୟରୁ ଅନ୍ୟ କୁ କିଛି ଦାନ ଦେଇ ସେମାନଙ୍କ କଷ୍ଟ କୁ ଲାଘବ କରିପାରିବା। ଭଗବାନ ଆମ ଶରୀରରେ ଏମିତି କେତେକ ଅଙ୍ଗ ଦେଇଛନ୍ତି ଯାହାକୁ ଦାନ ଦେଇଥିଲେ ମଧ୍ୟ ଆମର କୌଣସି କ୍ଷତି ହେବ ନାହିଁ। କିନ୍ତୁ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଗ୍ରାମ କରୁଥିବା ରୋଗୀ କୁ ଆପଣ ଦେବଦୂତ ସାଜି ଜୀବନ ଦାନ କରିପାରିବେ।
ରକ୍ତ ଦାନ ମଧ୍ୟ ଏକ ଅତ୍ୟନ୍ତ ପୂଣ୍ୟ କାର୍ଯ୍ୟ ଅଟେ। ଆମେ ରକ୍ତ ଦାନ ଶିବିର କିମ୍ବା blood bank କୁ ଯାଇ ରକ୍ତ ଦାନ କରିପାରିବା। ଦୁଇ ମାସ ମଧ୍ୟରେ ଶରୀର ନୁଆ ରକ୍ତ ତିଆରି କରି ତାହାର ଭରଣା କରିଥାଏ। ତେଣୁ ଜଣେ ସୁସ୍ଥ ବ୍ୟକ୍ତି ଚାହିଁଲେ ପ୍ରତି ଦୁଇ ମାସରେ ଥରେ ରକ୍ତ ଦାନ କରିପାରିବେ। ଡେଙ୍ଗୁ ଜ୍ୱର ରେ ରକ୍ତ ରୁ platelet କମି ରୋଗୀ ମୃତ୍ୟୁ ମୁଖରେ ପଡିଥାଏ। ଆପଣ ଚାହିଁଲେ କେବଳ platelet ମଧ୍ୟ ଦେଇ ପାରିବେ ଏବଂ ଆମ ଶରୀର ତାହାକୁ ମାତ୍ର ସାତ ଦିନ ମଧ୍ୟରେ ଭରଣା କରିଥାଏ। ଏଣୁ ରକ୍ତ ଦାନ କରିବାରେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ।
ଆସନ୍ତୁ ଜାଣିବା, ଆମେ ଜୀବିତ ଅବସ୍ଥାରେ ଯେଉଁ ଅଙ୍ଗ ଦାନ କରିପାରିବା ।
ବୃକ୍କକ( kidney)- ଆମ ଶରୀରରେ ଦୁଇଟି ବୃକ୍କକ ଅଛି। କିନ୍ତୁ ଗୋଟିଏ ବୃକ୍କକ ବଞ୍ଚିବା ପାଇଁ ଦରକାର ଠାରୁ ଯଥେଷ୍ଟ ଅଧିକ। ଏଣୁ ଆମେ ଗୋଟିଏ ବୃକ୍କକ ଦାନ ଦେଇଥିଲେ ମଧ୍ୟ ସୁସ୍ଥ ଜୀବନ ଯାପନ କରିପାରିବା।
ଯକୃତ (Liver)- ଆମ ଶରୀରରେ ଦୁଇଟି ଯକୃତ ଅଛି। ଆମ ଶରୀରରୁ ଯକୃତ ର କିଛି ଅଂଶ ନେଇ ରୋଗୀ ର ଶରୀର ରେ ପ୍ରତ୍ୟାରୋପଣ କରାଯାଇଥାଏ। ତିନି ରୁ ଛଅ ମାସ ମଧ୍ୟରେ ଦାନ ଦେଇଥିବା ବ୍ୟକ୍ତିଙ୍କର ଯକୃତ ବୃଦ୍ଧିପାଇ ସମ୍ପୁର୍ଣ୍ଣ ଯକୃତ ରେ ପରିଣତ ହୋଇଥାଏ। ରୋଗୀ ଶରୀର ରେ ପ୍ରତ୍ୟାରୋପିତ ଯକୃତ ମଧ୍ୟ କାଳକ୍ରମେ ବୃଦ୍ଧିପ୍ରାପ୍ତ ହୋଇଥାଏ।
ଫୁସଫୁସ (Lungs)- ଆମ ଶରୀରରେ ଦୁଇଟି ଫୁସଫୁସ ଅଛି। ଡାହାଣ ଫୁସଫୁସ ତିନି ଭାଗରେ ଏବଂ ବାମ ଫୁସଫୁସ ଦୁଇ ଭାଗରେ ବିଭକ୍ତ। ସମୁଦାୟ ପାଞ୍ଚ ଭାଗରୁ ଗୋଟିଏ ଭାଗ ଦାନ ଦେଇ ଆମେ ସମ୍ପୂର୍ଣ୍ଣ ସୁସ୍ଥ ଭାବରେ ବଞ୍ଚି ପାରିବା।
ଅନ୍ୟାନ୍ୟ- ସେହିପରି ଆମେ ଅଗ୍ନାଶୟ ଏବଂ ଅନ୍ତନଳୀ ର କିଛି ଅଂଶ ମଧ୍ୟ ଦାନ ଦେଇ ପାରିବା।
ବେଳେ ବେଳେ ଡାକ୍ତର ମାନେ କୌଣସି କୌଣସି ରୋଗୀ ଙ୍କ ମସ୍ତିଷ୍କ କୁ ମୃତ( brain dead) ଘୋଷଣା କରିଥାନ୍ତି। ସେହି ପରିସ୍ଥିତିରେ ମସ୍ତିଷ୍କ କୁ ଛାଡି ଶରୀର ର ସମସ୍ତ ଅଙ୍ଗ କାର୍ଯ୍ୟକ୍ଷମ ଥାଏ। ଏହି ସମୟରେ ରୋଗୀ ର ଆତ୍ମୀୟସ୍ଵଜନ ମାନେ ସ୍ୱତଃପ୍ରବୃତ୍ତ ଭାବରେ ରୋଗୀଟିର ଅଙ୍ଗ ଦାନ ପାଇଁ ଆଗେଇ ଆସିବା ଦରକାର । ଦୁଇଟି ବୃକ୍କକ, ଦୁଇଟି ଯକୃତ, ଦୁଇଟି ଫୁସଫୁସ ଏବଂ ହୃଦୟ ଦାନ ଦ୍ୱାରା ଆପଣ ସାତଜଣ ଙ୍କୁ ଜୀବନ ଦାନ କରିପାରିବେ। ଦୁଇଟି ଆଖି ଦାନ ଦ୍ୱାରା ଦୁଇ ଜଣ ଅନ୍ଧ ବ୍ୟକ୍ତି ଙ୍କ ଜୀବନକୁ ଆଲୋକିତ କରିପାରିବେ। ଭାବି ଦେଖନ୍ତୁ, ଭଗବାନ ଙ୍କର ଏହି ସବୁ ଅମୂଲ୍ୟ ସୃଷ୍ଟି କୁ ନେଇ ମଶାଣିରେ ପୋଡି ଦେଲେ କଣ ପାଇବେ।
ଗୁଜୁରାଟ ରାଜ୍ୟ ସୂରଟ ର ମାତ୍ର ଚାରି ଦିନ ର ଶିଶୁ। ଦୁନିଆ ଦେଖିବା ପୂର୍ବ ରୁ ଡାକ୍ତର ତାକୁ brain dead ଘୋଷଣା କଲେ। ତାର ପିତାମାତା ଶିଶୁ ଟିର ଅଙ୍ଗ ଦାନ ପାଇଁ ସ୍ୟିକୃତି ପ୍ରଦାନ କରି ଛଅ ଜଣଙ୍କ ଜୀବନ ବଞ୍ଚାଇଥିଲେ। ଏହି ଶିଶୁ ଟି ହେଉଛି ଭାରତର ସର୍ବ କନିଷ୍ଠ ଅଙ୍ଗ ପ୍ରଦାନକାରୀ। ସେହିପରି, ଅଙ୍ଗ ଦାନ କରି, ଭୂବନେଶ୍ବର ର ପ୍ରସନଜୀତ ମହାନ୍ତି ଚାରି ଜଣଙ୍କର , ବ୍ରହ୍ମପୁର ର କ୍ରୀଷ୍ଣା ପଣ୍ଡା ଛଅ ଜଣଙ୍କ ଜୀବନ ବଞ୍ଚାଇ ପାରିଛନ୍ତି।
ଅଙ୍ଗ ଦାନ ପାଇଁ ପୁର୍ବରୁ ପଞ୍ଜୀକରଣ କରିଥିବା ବ୍ୟକ୍ତି ଙ୍କର ଡାକ୍ତରଖାନାରେ ମୃତ୍ୟୁ ହେଲେ, ତାଙ୍କର ଅଙ୍ଗ ଗୁଡ଼ିକୁ ତୁରନ୍ତ କାଢିନିଆ ଯାଇଥାଏ। ଆମେ ଚାହିଁଲେ ମୃତ୍ୟୁ ପରେ ଆମର ସମ୍ପୂର୍ଣ୍ଣ ଶରୀର କୁ ମଧ୍ୟ ଦାନ କରିପାରିବା। ଏହା medical college ରେ ଛାତ୍ର ମାନଙ୍କୁ ଜ୍ଞାନ ଆହରଣ କରିବାରେ ସାହାଯ୍ୟ କରିଥାଏ। ଏହିପରି ମୃତ୍ୟୁ ପରେ ମଧ୍ୟ, ଆମ ଶରୀର ମାନବ କଲ୍ୟାଣ କାର୍ଯ୍ୟରେ ଆସିପାରିବ।
ଇଶ୍ଵର ଆମକୁ ଅମରତ୍ୱ ଦେଇ ନାହାନ୍ତି। ସଂସାର ମଧ୍ୟ ରେ ଜନ୍ମ ନେଲେ ମୃତ୍ୟୁ ହେବା ମଧ୍ୟ ଏକ ଚିରନ୍ତନ ସତ୍ୟ। ଆମେ କିଛି ଦିନ ପାଇଁ ଏ ସଂସାର କୁ ଆସିଛୁ।ଯଦି ଆମ ପାଇଁ କେହି ଜଣେ ଜୀବନ ପାଇପାରିବ , ତାଠାରୁ ବଳି ପୂଣ୍ୟ କାର୍ଯ୍ୟ ଏଇ ପୃଥିବୀ ଆଉ କିଛି ନାହିଁ।
ଅଙ୍ଗ ଦାନ ମହା ଦାନ। ଆସନ୍ତୁ, ଆଜି ଆମେ ଅନ୍ୟ କୁ ଜୀବନ ଦେବାରେ ସହଯୋଗ କରିବା। ଅଙ୍ଗ ଦାନ କରି ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦିତ କରିବା । ଈଶ୍ବର ଙ୍କ ମଣିଷ ପ୍ରତି ଅପେକ୍ଷା କୁ ସତ୍ୟ ପ୍ରତିପାଦିତ କରିବା।