ଦିଲ୍ଲୀରେ ରେକର୍ଡ଼ ଛୁଇଁଲା ହିଟ୍ ୱେଭ ଜନିତ ମୃତ୍ୟୁ ସଂଖ୍ୟା

ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ହିଟ୍ ୱେଭ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

୮ ଦିନରେ ୧୯୨ ମୃତ

ନୂଆଦିଲ୍ଲୀ, ୨୦/୦୬: ଦେଶରେ ଗ୍ରୀଷ୍ମ ପ୍ରବାହ ଏବେ ବି ଲାଗି ରହିଛି। କେତେକ ସହରରେ ହିଟ୍ ୱେଭର ପ୍ରଭାବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ଦିଲ୍ଲୀରେ ହିଟ୍ ୱେଭ ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଛି। ମାତ୍ର ୮ ଦିନରେ ୧୯୨ ଜଣଙ୍କ ମୃତ୍ୟୁ ଘଟିଛି।

ଜୁନ୍ ୧୧ରୁ ୧୯ ତାରିଖ ମଧ୍ୟରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୮୦ ପ୍ରତିଶତ ବାସହୀନ ଅଛନ୍ତି। ଏ ନେଇ ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟର ଏକ ସଦ୍ୟତମ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ମୁତାବକ, ଗତ ୭୨ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନୋଏଡାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀରେ ଜୁନ୍ ୧୧ରୁ ୧୯ ମଧ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁଥିରେ ୮୦ ପ୍ରତିଶତ ବାସହୀନ ରହିଛନ୍ତି।

ବାୟୁ ପ୍ରଦୂଷଣ, ଦ୍ରୁତ ଶିଳ୍ପାୟନ, ସହରୀକରଣ ଏବଂ ଜଙ୍ଗଲ ନଷ୍ଟ ଭଳି କାରଣ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି, ଯାହାର ସିଧାସଳଖ ପ୍ରଭାବ ବାସହୀନଙ୍କ ଉପରେ ପଡୁଛି। ଶରୀରକୁ ହାଇଡ୍ରେଟ ରଖିବା ପାଇଁ ବିଶୁଦ୍ଧ ପାନୀୟ ଜଳ ଅତ୍ୟନ୍ତ ଜରୁରୀ, କିନ୍ତୁ ପ୍ରଚୁର ପାନୀୟ ଜଳର ଅଭାବ ମଧ୍ଯ ଅନ୍ୟ ଏକ କାରଣ।

ଦୀନଦୟାଲ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଏନ୍ୟୁଏଲଏମ୍-ଏସ୍ୟୁଏଚ୍) ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ) ଭଳି ସରକାରୀ କଲ୍ୟାଣକାରୀ କାର୍ଯ୍ୟକ୍ରମରୁ ଅଧିକାଂଶ ସମୟରେ ବଞ୍ଚିତ ହେଉଛନ୍ତି ବାସହୀନ। ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ବାସଗୃହ ଯୋଗାଇ ଦେବା ଏବଂ ସେଠାରେ ପାନୀୟ ଜଳଯୋଗାଣ ସୁବିଧା ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।