ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଭିନ୍ନ ଆସନ କରୁଥିବାର ଦେଖିବାକୁ ମିଳିଛି।

‘ଯୋଗ ଫର ସେଲ୍ଫ ଆଣ୍ଡ ସୋସାଇଟି’ ୨୦୨୪ ଥିମ

ନୂଆଦିଲ୍ଲୀ, ୨୧/୦୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ଆୟୋଜିତ ଏକ ଯୋଗ ଅଧିବେଶନରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ବିଭିନ୍ନ ଆସନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଏଥି ସହ ରାଷ୍ଟ୍ରପତି ଏକ୍ସରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, “ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମଗ୍ର ବିଶ୍ୱ ସମୁଦାୟ, ବିଶେଷ କରି ଭାରତୀୟଙ୍କୁ ଶୁଭେଚ୍ଛା। ମାନବିକତା ପାଇଁ ଯୋଗ ହେଉଛି ଭାରତର ଅନନ୍ୟ ଉପହାର। ନିତିଦିନିଆ ଜୀବନଶୈଳୀକୁ ନେଇ ବଢୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଯୋଗ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଯୋଗ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତାର ଏକ ଉପାୟ। ଯୋଗକୁ ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିବାକୁ ସଂକଳ୍ପ ନେବା ବୋଲି ରାଷ୍ଟ୍ରପତି କହିଛନ୍ତି।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏକ ଯୋଗ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ଯୋଗ କରୁଥିବାର ନଜର ଆସିଛନ୍ତି। ଡାଲ୍ ହ୍ରଦ କୂଳରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୭,୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ସାଧାରଣ ସଭାରେ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷର ବିଷୟବସ୍ତୁ ‘ଯୋଗ ଫର ସେଲ୍ଫ ଆଣ୍ଡ ସୋସାଇଟି’ ରହିଛି।