ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲା: ୧୮କୁ ଛୁଇଁଲା ଗିରଫଦାରୀ

ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଛାତ୍ରଛାତ୍ରୀମାନେ ଅଭିଯୁକ୍ତଙ୍କ ଗିରଫଦାରୀ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଝାଡ଼ଖଣ୍ଡରୁ ୫ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ, ୨୨/୦୬: ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଝାଡ଼ଖଣ୍ଡର ଦେଓଘର ଏବଂ ରାଞ୍ଚିରୁ ଶୁକ୍ରବାର ୫ ଜଣଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ ଏହି ମାମଲାରେ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି ବିହାର ପୋଲିସ। ଦେଓଘରରେ ଗିରଫ ହୋଇଥିବା ସମସ୍ତ ୫ ଜଣଙ୍କୁ ଅଧିକ ପଚରାଉଚରା ପାଇଁ ପାଟନା ନିଆଯାଇଛି।

ଏହି ମାମଲାରେ ବିହାର ପୁଲିସ ପୂର୍ବରୁ ୪ ଜଣ ନିଟ୍-ୟୁଜି ପରୀକ୍ଷାର୍ଥୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଆଶାୟୀ ଅନୁରାଗ ଯାଦବ, ସିକନ୍ଦର ଯାଦବେନ୍ଦୁ, ନୀତିଶ କୁମାର ଓ ଅମିତ ଆନନ୍ଦ। ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନପତ୍ର ପାଇବା ସହ ଉତ୍ତର ମନେ ରଖିଥିବା ସେମାନେ ସ୍ୱୀକାର କରିଛନ୍ତି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏକ ଏସୟୁଭିରେ ଖସି ପଳାଇ ଯାଉଥିବାର ପାଟନା ପୁଲିସକୁ କୌଣସି ସୂତ୍ରରୁ ଖବର ମିଳିବା ପରେ ଏହି ଗିରଫଦାରୀ କରାଯାଇଥିଲା।

ପ୍ରଶ୍ନପତ୍ର ଲିକ୍ ଓ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିବା ଅଭିଯୋଗରେ ନିଟ୍-ୟୁଜି ଆଶାୟୀ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।