ଏନଡିଏର ଲୋକସଭା ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲା

ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ।

ଉପବାଚସ୍ପତି ପଦ ଚାହୁଁଛି କଂଗ୍ରେସ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ, ୨୫/୦୬: ଗତ ଲୋକସଭାରେ ବାଚସ୍ପତି ଥିବା ଓମ୍ ବିର୍ଲାଙ୍କୁ ପୁଣି ଥରେ ଚଳିଥ ଲୋକସଭା ବାଚସ୍ପତି ପାଇଁ ଏନଡିଏ ପ୍ରାର୍ଥୀ ଭାବେ ଘୋଷଣା କରିପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦ ଭବନରେ ସାକ୍ଷାତ କରିଛନ୍ତି ଓମ୍ ବିର୍ଲା। ଓମ୍ ବିର୍ଲାଙ୍କୁ ସର୍ବସମ୍ମତିକ୍ରମେ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ କରିବା ପାଇଁ ବିରୋଧୀ ଦଳଙ୍କ ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।

ବିଜେପିର ବରିଷ୍ଠ ନେତାମାନେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ଡିଏମକେ ନେତା ଏମକେ ଷ୍ଟାଲିନ ଏବଂ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଥିବା ଜଣାପଡିଛି । ଏନଡିଏର ପ୍ରମୁଖ ସହଯୋଗୀ ତେଲୁଗୁ ଦେଶମ ପାର୍ଟି ଏବଂ ଜନତା ଦଳ ୟୁନାଇଟେଡ୍ ସହ ମଧ୍ୟ ଆଲୋଚନା ଚାଲିଛି।

ତେବେ ଏହା ଉପରେ ରୋକ ଲଗାଇଛି ବିରୋଧୀ ଦଳ। କଂଗ୍ରେସ ନେତା ରାହୁଲ ଗାନ୍ଧି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଶାସକ ଦଳ ଯଦି ଉପବାଚସ୍ପତି ପଦ ପାଇଁ କଂଗ୍ରେସକୁ ସମର୍ଥନ କରେ ତାହାଲେ ବିରୋଧୀ ଦଳ ମଧ୍ୟ ଓମ ବିର୍ଲାଙ୍କୁ ବାଚସ୍ପତି ପଦ ଦେବା ପାଇଁ ସମର୍ଥନ କରିବ। କଂଗ୍ରେସରୁ କେ ସୁରେଶଙ୍କୁ ଉପବାଚସ୍ପତି ଭାବେ ନିର୍ବାଚିତ କରିବା ପାଇଁ କଂଗ୍ରେସ ଚାହିଁଛି। ବିଜେପି ଆମକୁ ସମର୍ଥନ ମାଗିଛି। କିନ୍ତୁ ଆମେ ଉପବାଚସ୍ପତି ପଦ ଚାହୁଁଛୁ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଅନ୍ୟପକ୍ଷରେ ଯଦି ଉପବାଚସ୍ପତି ପଦ ପାଇଁ ଶାସକ ଦଳ ରାଜି ନହୁଏ, ତାହାଲେ କଂଗ୍ରେସ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ କିଏ ହେବେ, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ତେବେ ଏଭଳି ସମ୍ଭାବନା ସମ୍ପର୍କରେ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ। ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏନଡିଏ ମେଣ୍ଟର ୨୯୩ ସାଂସଦ ଥିବା ବେଳେ ବିଜେପିର ୨୩୪ ସାଂସଦ ଏବଂ କଂଗ୍ରେସରୁ ୯୯ ଜଣ ସାଂସଦ ଅଛନ୍ତି। ଲୋକସଭା ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଆଜି ଅପରାହ୍ନ ୧୨ଟା ହୋଇଥିବା ବେଳେ ଆସନ୍ତାକାଲି ନିର୍ବାଚନ ହେବ।