ଗଣତାନ୍ତ୍ରିକ ରାଷ୍ଟ୍ରରେ ଭାଷାଗତ ବିବିଧତାର ଜ୍ୱଳନ୍ତ ଛବି

ନବନିର୍ବାଚିତ ସାଂସଦ ମାନେ ଆଞ୍ଚଳିକ ଭାଷାରେ ଶପଥ ଗ୍ରହଣ କରିଛନ୍ତି।

ସଂସଦ ଭବନରେ ଆଞ୍ଚଳିକ ଭାଷାର ଝଲକ ଦୃଶ୍ୟମାନ

ନୂଆଦିଲ୍ଲୀ, ୨୫/୦୬: ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଦେଖିବାକୁ ମିଳିଛି ଭାଷାଗତ ବିବିଧତାର ଜ୍ୱଳନ୍ତ ଛବି। ସଂସଦ ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସାଂସଦ ସମୂହ ଆଞ୍ଚଳିକ ଭାଷାର ଗୌରବ ରକ୍ଷା କରିଛନ୍ତି। ଲୋକସଭାର ନବନିର୍ବାଚିତ ସାଂସଦମାନେ ସଂସ୍କୃତ, ହିନ୍ଦୀ, ଡୋଗରୀ, ବଙ୍ଗଳା, ଆସାମୀ, ଓଡ଼ିଆ ଓ ମାଲୟାଲମଠାରୁ ଆରମ୍ଭ କରି ଇଂରାଜୀ ଓ ଭାରତର ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ଶପଥ ଗ୍ରହଣ କରିବା ସହ ଭାଷାଗତ ବିବିଧତାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୀଭାଷାରେ ଶପଥ ନେଇଥିବା ବେଳେ ଅନ୍ୟାନ୍ୟ ସାଂସଦମାନେ ମଧ୍ୟ ନିଜର ଆଞ୍ଚଳିକ ଭାଷାରେ ଶପଥ ନେଇଥିଲେ। ଚଳିତ ବର୍ଷ ନବନିର୍ବାଚିତ ସାଂସଦମାନେ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ତାଲିକାଭୁକ୍ତ ଇଂରାଜୀ ଓ ଅନ୍ୟାନ୍ୟ ଭାଷାରେ ଶପଥ ନେବା ସହ ଭାଷାଗତ ବିବିଧତା ପ୍ରଦର୍ଶିତ ହୋଇଥିଲା। କାଲି ପରି ଆଜି ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ସଂସଦ ଭବନରେ ଓଡ଼ିଆ ଅସ୍ମିତାର ଝଲକ ପ୍ରତିଫଳିତ ହୋଇଛି।

ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ନବନିର୍ବାଚିତ ସାଂସଦମାନେ ଓଡ଼ିଆରେ ଶପଥ ଗ୍ରହଣ କରିଛନ୍ତି। ଗତ କାଲି ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆରେ ଶପଥ ନେଇଥିବା ବେଳେ ଆଜି ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର, ଅନୀତା ଶୁଭଦର୍ଶିନୀ, ବଳଭଦ୍ର ମାଝୀ, ବିଭୁପ୍ରସାଦ ତରାଇ, ସୁକାନ୍ତ କୁମାର ପାଣିଗ୍ରାହୀ, ସପ୍ତଗିରି ଉଲାକା, ଅଭିମନ୍ୟୁ ସେଠୀ, ରବୀନ୍ଦ୍ର ବେହେରା, ରୁଦ୍ର ନାରାୟଣ ପାଣି, ସଙ୍ଗିତା ସିଂହଦେଓ, ଅନନ୍ତ ନାୟକ ଓ ପ୍ରଦୀପ ପୁରୋହିତଙ୍କ ସମେତ ଓଡ଼ିଶାର ବିଜେପି ସାଂସଦମାନେ ମଙ୍ଗଳବାର ଓଡ଼ିଆ ଭାଷାରେ ଅଷ୍ଟାଦଶ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି। ସେହିପରି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେଇଥିବା ବେଳେ ପ୍ରଦୀପ ପାଣିଗ୍ରାହୀ ଓ ମାଳବିକା ଦେବୀ ଇଂରାଜୀ ଏବଂ ନବ ଚରଣ ମାଝୀ ସାନ୍ଥାଳୀ ଭାଷାରେ ଶପଥ ନେଇଥିଲେ।