ବିବାଦରେ ଛନ୍ଦି ହେଲେ ଅସଦୁଦ୍ଦିନ ଓୱେସି

ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି।

ଶପଥ ଗ୍ରହଣ ଉତ୍ସବରେ ବିବାଦୀୟ ସ୍ଲୋଗାନ ଦେଇ ଫସିଲେ ଓୱେସି

ନୂଆଦିଲ୍ଲୀ, ୨୫/୦୬: ମଙ୍ଗଳବାର ୧୮ତମ ଲୋକସଭାରେ ଶପଥ ଗ୍ରହଣ କରିବା ସମୟରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ଛନ୍ଦି ହୋଇଯାଇଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି। ଶପଥ ଗ୍ରହଣ ଶେଷ କରି ‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ଦେଇ ବିବାଦ ଭିତରେ ଫସି ଯାଇଛନ୍ତି। ହାଇଦ୍ରାବାଦ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଓୱେସି ଉର୍ଦ୍ଦୁ ଭାଷାରେ ଶପଥ ଗ୍ରହଣ କରିବା ସହ ‘ଜୟ ଭୀମ, ଜୟ ତେଲେଙ୍ଗାନା, ଜୟ ପାଲେଷ୍ଟାଇନ୍’ ସ୍ଲୋଗାନ ଦେଇ ଶେଷ କରିଥିଲେ। ଏହା ପରେ ଭାରତୀୟ ଜନତା ପାର୍ଟିର ସାଂସଦମାନେ ଆପତ୍ତି ଉଠାଇଥିଲେ। ଶପଥ ଗ୍ରହଣ ଉତ୍ସବରେ ଅଧ୍ୟକ୍ଷତା କରୁଥିବା ରାଧା ମୋହନ ସିଂହ ଏହି ବିବାଦୀୟ ସ୍ଲୋଗାନକୁ ସରକାରୀ ରେକର୍ଡରୁ ହଟାଇ ଦିଆଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ରାଧା ମୋହନଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବିଜେପି ସାଂସଦମାନେ କିଛି ସମୟ ପାଇଁ ହୋହଲ୍ଲା ଜାରି ରଖିଥିଲେ।

କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଓୱେସିଙ୍କ ସ୍ଲୋଗାନକୁ ସମାଲୋଚନା କରି ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେଯେ, ଏହା ଗୃହର ନିୟମ ବିରୁଦ୍ଧ। ଭାରତରେ ରହୁଥିବା ବେଳେ ସେ ‘ଭାରତ ମାତା କି ଜୟ’ ନ କହି ଜୟ ପାଲେଷ୍ଟାଇନ ବୋଲି କହୁଛନ୍ତି, ଯାହା ଅସାମ୍ବିଧାନିକ। ଏହି ବିବାଦୀୟ ସ୍ଲୋଗାନ ପରେ ଓୱେସି ନିଜ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ଗୃହର ବିଭିନ୍ନ ସଦସ୍ୟଙ୍କ ଭଳି ମୁଁ ବି ସ୍ଲୋଗାନ ଦେଇଥିଲି। ମୁଁ ‘ଜୟ ଭୀମ, ଜୟ ତେଲେଙ୍ଗାନା, ଜୟ ପାଲେଷ୍ଟାଇନ୍’ ବୋଲି କହିଥିଲି। ଏହା କିପରି ଭୁଲ ହୋଇପାରେ? ମୋତେ ସମ୍ବିଧାନର ପ୍ରାବଧାନ ବିଷୟରେ କୁହନ୍ତୁ। ଅନ୍ୟମାନେ ଯାହା କହିଛନ୍ତି ତାକୁ ଶୁଣନ୍ତୁ। ମୋତେ ଯାହା କହିବାକୁ ପଡିଲା ମୁଁ କହିଲି। ପାଲେଷ୍ଟାଇନକୁ ନେଇ ମହାତ୍ମା ଗାନ୍ଧୀ କ’ଣ କହିଥିଲେ ତାକୁ ପଢିବା ଉଚିତ୍ ବୋଲି ଓୱେସି କହିଛନ୍ତି।

ଏଆଇଏମଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସି ତେଲେଙ୍ଗାନା ହାଇଦ୍ରାବାଦ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଲୋକ ସଭାକୁ ପାଞ୍ଚ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଓୱେସି ବିଜେପି ଓ ଆରଏସ୍ଏସର ଜଣେ ତୀବ୍ର ବିରୋଧୀ। ବିଜେପି ଦ୍ୱାରା ଅଣାଯାଇଥିବା ସିଏଏ ଓ ଏନଆରସିକୁ କଡା ବିରୋଧ କରି ଆସୁଛନ୍ତି।