ଭୁଶୁଡିଲା ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଛାତ

ବିମାନବନ୍ଦରରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ।

ଜଣେ ମୃତ, ଏକାଧିକ ଗୁରୁତର

ନୂଆଦିଲ୍ଲୀ, ୨୮/୦୬: ଗତ ଗୁରୁବାରଠାରୁ ଦିଲ୍ଲୀରେ ପ୍ରବଳ ବର୍ଷା ହେଉଥିବା ବେଳେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଏହାରି ଭିତରେ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ଯୋଗୁଁ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଛାତ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ବିମାନବନ୍ଦରର ୧ ନମ୍ବର ଟର୍ମିନାଲର ଛାତ ଭୁଶୁଡ଼ି ପଡିଥିବାରୁ ବିଭିନ୍ନ ଯାନବାହାନ ଫସି ରହିଛି। ଛାତ ଭୁଶୁଡ଼ି ଏକ କାର ଉପରେ ପଡିବାରୁ କାର୍ ଭିତରେ ଥିବା ଅନେକ ବ୍ୟକ୍ତି ଆହତ ହୋଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଟର୍ମିନାଲ-୧କୁ ଆସୁଥିବା ବିମାନଗୁଡ଼ିକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଅନ୍ୟପଟେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜରାପୁ ବିମାନବନ୍ଦର ପରିଦର୍ଶନ କରି ଟର୍ମିନାଲ-୧ର ସମୀକ୍ଷା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମୃତକ ଓ ଗୁରୁତରଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିବା ସହିତ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ଏବଂ ବିମାନବନ୍ଦରର ପୁନରୁଦ୍ଧାର କରାଯିବ। ଅସ୍ଥାୟୀ ଭାବେ ଟର୍ମିନାଲ ୧ରୁ ବିମାନ ଚଳାଚଳକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିବା ବେଳେ ଟର୍ମିନାଲ ୨ ଏବଂ ଟର୍ମିନାଲ ୩ କୁ ବିମାନ ଚଳାଚଳକୁ ସ୍ଥାନାନ୍ତର କରାଯାଇଛି ବୋଲି କହିଛନ୍ତି।

ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ ଭୁଶୁଡ଼ି ପଡ଼ିବା ହେତୁ ଦିଲ୍ଲୀରେ ବିମାନ ଚଳାଚଳ ବାତିଲ ହୋଇଛି। ଟର୍ମିନାଲ ଭିତରେ ପୂର୍ବରୁ ଥିବା ଯାତ୍ରୀମାନେ ସେମାନଙ୍କ ନିର୍ଦ୍ଧାରିତ ସମୟରେ ବିମାନରେ ଚଢ଼ିପାରିବେ, କିନ୍ତୁ ଯେଉଁମାନେ ପରବର୍ତ୍ତୀ ସମୟରେ ବିମାନ ଉଡ଼ାଣ କରିବେ ସେମାନଙ୍କୁ ସମୟ ସୂଚୀ ସମ୍ପର୍କରେ ଅବଗତ କରାଯିବ ବୋଲି ଇଣ୍ଡିଗୋ ପକ୍ଷରୁ ସୂଚନା ମିଳିଛି।