ମୋବାଇଲ ବ୍ୟବହାରକାରୀଙ୍କୁ ମହଙ୍ଗା ମାଡ

ବଢିଲା ଜିଓ ଓ ଭାରତୀ ଏୟାରଟେଲ ରିଚାର୍ଜ ପ୍ଲାନ।

୧୨-୨୫% ବଢିଲା ଜିଓ-ଏୟାରଟେଲ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ, ୨୮/୦୬: ମୋବାଇଲ ବ୍ଯବହାରକାରୀଙ୍କୁ ମହଙ୍ଗା ମାଡ। ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ସିମ୍ କାର୍ଡଧାରୀଙ୍କ ପାଇଁ ଅଧିକ ଶୁଳ୍କ ଦେବାକୁ ପଡ଼ିବ। ମୋବାଇଲ ଫୋନ୍ ବିଲ୍ ଖୁବଶୀଘ୍ର ବଢ଼ିବାକୁ ଯାଉଛି। ଜିଓ ଗୁରୁବାର ୧୨ରୁ ୨୫ ପ୍ରତିଶତ ବୃଦ୍ଧି ଘୋଷଣା କରିଥିବା ବେଳେ ଶୁକ୍ରବାର ଏୟାରଟେଲ୍ ପକ୍ଷରୁ ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି।

ଜୁଲାଇ ୩ରୁ ଜିଓର ନୂଆ ତାରିଫ୍ ଲାଗୁ ହେବ। ୪୭୨ ନିୟୁତରୁ ଅଧିକ ଜିଓ ଉପଭୋକ୍ତାଙ୍କୁ ପ୍ରଭାବିତ କରିବ ଏହି ନୂଆ ତାରିଫ୍ ପ୍ଲାନ। ୧୫୫ ଟଙ୍କିଆ ପ୍ଲାନର ମୂଲ୍ୟ ଏବେ ୧୮୯ ଟଙ୍କା ଥିବା ବେଳେ ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଥିବା ଲୋକପ୍ରିୟ ୨୩୯ ଟଙ୍କିଆ ମାସିକ ପ୍ଲାନକୁ ୨୫% ବୃଦ୍ଧି କରି ୨୯୯ ଟଙ୍କା କରାଯାଇଛି। ବାର୍ଷିକ ପ୍ୟାକେଜରେ ସର୍ବାଧିକ ୨,୯୯୯ ଟଙ୍କାରୁ ୩,୫୯୯ ଟଙ୍କା ରଖାଯାଇଛି।

ସେହିପରି ଭାରତୀ ଏୟାରଟେଲ ମଧ୍ୟ ମୂଲ୍ୟ ବୃଦ୍ଧି କରିଛି। ଏୟାରଟେଲର ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନ ଉପରେ ତାରିଫ୍ ବୃଦ୍ଧି କରିଛି। ୧୭୯ ଟଙ୍କିଆ ମାସିକ ପ୍ଲାନ ଏବେ ବୃଦ୍ଧି ହୋଇ ୧୯୯ ଟଙ୍କା ରହିବ, ଯେଉଁଥିରେ ପ୍ରତିଦିନ ୨ ଜିବି ଡାଟା, ଅସୀମିତ କଲିଂ ଏବଂ ପ୍ରତିଦିନ ୧୦୦ ଟି ଏସଏମଏସ ସୁବିଧା ମିଳିବ। ୧୭୯୯ ଟଙ୍କାର ବାର୍ଷିକ ପ୍ଲାନ୍ ର ମୂଲ୍ୟ ଏବେ ୧୯୯୯ ଟଙ୍କା ହେବ। ପୋଷ୍ଟପେଡ୍ ପ୍ଲାନ୍ ୩୯୯ରୁ ୪୪୯ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ୯୯୯ ପ୍ଲାନ ୧୧୯୯ ଟଙ୍କାକୁ ବୃଦ୍ଧି କରାଯାଇଛି।