‘ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି ପହଣ୍ଡି ବେଳର ଅଘଟଣ’

ବଳଭଦ୍ର ଖସି ପଡିଯିବା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର, ୧୧/୦୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ କରିବା ସମୟରେ ଚାରମାଳ ଉପରେ ସେବାୟତଙ୍କ ଗୋଡ ଖସି ଯିବାରୁ ବଡ଼ଠାକୁର ବଳଭଦ୍ର ଖସି ପଡିଥିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନବୀନ। ଏହା ସହ ଶାସକ ଦଳର ମନ୍ତ୍ରୀମଣ୍ଡଳର ହାଲୁକା ମନ୍ତବ୍ୟକୁ ମଧ୍ୟ ନିନ୍ଦା କରିଛନ୍ତି ନବୀନ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ସଚେତନ ହେବା ସହ ଏହି ଘଟଣାରେ ଉଚିତ୍ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି।

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠିରେ ଲେଖିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ଅସ୍ଥିତାର ପ୍ରତୀକ। ଓଡିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ସେ ହେଉଛନ୍ତି ଏ ଜାତିର ମଉଡମଣି। ଜଗତର ନାଥ ଜଗନ୍ନାଥ। ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଆସି ପୁରୀ ଧାମରେ ସମ୍ମିଳିତ ହୋଇଥାନ୍ତି। ସାରା ବିଶ୍ବର କୋଣ ଅନୁକୋଣରେ ରଥଯାତ୍ରା ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଥାଏ। ଏତଦ ବ୍ୟତୀତ ଟିଭି ଓ ସୋସିଆଲ ମିଡିଆ ଜରିଆରେ ସାରା ବିଶ୍ଵର କୋଟି କୋଟି ଜଗନ୍ନାଥପ୍ରେମୀ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାକୁ ସଂଦର୍ଶନ କରି ଦିବ୍ୟ ଆନନ୍ଦ ଲାଭ କରିଥାନ୍ତି।

ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି। ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ। ମହାପ୍ରଭୁ ହେଉଛନ୍ତି ଓଡିଆ ଜାତିର ଇଷ୍ଟ। ତାଙ୍କର ପହଣ୍ଡି ବେଳେ ଏଭଳି ଅଘଟଣ ଅଶୃତପୂର୍ବ। ଚାରମାଳରେ ପହଣ୍ଡି ସମୟରେ ବଡଠାକୁର ମୁହଁ ମାଡି ପଡିଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେ ଏଭଳି ଘଟଣା କେବେ ଘଟି ନ ଥିଲା। ଆଖିରେ ଦେଖି ମଧ୍ୟ ଏଭଳି ଅଘଟଣକୁ ବିଶ୍ବାସ କରି ହେଲାନାହିଁ।

ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ଵିଗୁଣିତ କରିଛି। ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି। ସରକାରଙ୍କର ଏଭଳି ଆଭିମୁଖ୍ୟ ଜଗନ୍ନାଥପ୍ରେମୀଙ୍କୁ ଆଶ୍ବସ୍ତ କରିବାରେ ସମର୍ଥ ହେଲାନାହିଁ ।

ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ମୁରବୀ। ଆମ ବିଶ୍ବାସର କେନ୍ଦ୍ରବିନ୍ଦୁ। ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ନିଜେ ଦାୟିତ୍ଵ ନେଇ ଏଭଳି ଅଘଟଣ ଯେଭଳି ପୁନରାବୃତ୍ତି ନ ଘଟିବ ତାହା ସୁନିଶ୍ଚିତ କରିବେ। ମୋର ବିଶ୍ବାସ ଏ ଦିଗରେ ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ କୋଟି କୋଟି ଭକ୍ତଙ୍କୁ ଆଶ୍ବସ୍ତ କରିବାରେ ସହାୟକ ହେବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।