ଚର୍ଚ୍ଚା ଭିତରେ ଅନ୍ଯ ଜିଲ୍ଲାକୁ ବଦଳି ହେଲେ ବିବାଦୀୟ ଆଇଏଏସ ଅଫିସର ପୂଜା ଖେଡକର

ପୁଣେରୁ ୱାଶିମ୍ ଜିଲ୍ଲାକୁ ସହକାରୀ ଜିଲ୍ଲାପାଳ ଭାବେ ସ୍ଥାନାନ୍ତର

ମହାରାଷ୍ଟ୍ର, ୧୧/୦୭: ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଜାଲିଆତି ଉପାୟ ଅବଲମ୍ବନ କରି ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ଗୁରୁବାର ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳର ୱାଶିମ୍ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି। ତେବେ ଦାୟିତ୍ବ ଗ୍ରହଣ ପୂର୍ବରୁ ତାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ।

ପୁନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ କନିଷ୍ଠ କର୍ମଚାରୀଙ୍କ ପ୍ରତି ଆକ୍ରମଣାତ୍ମକ ବ୍ୟବହାର, ଅତିରିକ୍ତ ଜିଲ୍ଲାପାଳ ଅଜୟ ମୋରେଙ୍କ ଚ୍ୟାମ୍ବରକୁ ବେଆଇନ ଭାବେ ଦଖଲ କରିବା ଏବଂ ନିଜର ଘରୋଇ ଅଡି କାରରେ ନାଲି ବତି ଲଗାଇବା ଏବଂ ଦିନରେ ଏହାକୁ ଜାଳିବା ସହ ଅଡିରେ ମହାରାଷ୍ଟ୍ର ସରକାର ଲେଖିବା ଆଦି ଆଚରଣ ପାଇଁ ପୁଣେ ଜିଲ୍ଲାପାଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାକୁ ଆଧାର କରି ୨୦୨୨ ବ୍ୟାଚର ପୂଜା ଖେଡକରଙ୍କୁ ୱାଶିମ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଥିଲା।

କେବଳ ସେତିକି ନୁହେଁ, ପୂଜା ଖେଡକର ଭାରତୀୟ ପ୍ରଶାସନିକ ସେବାରେ ସ୍ଥାନ ପାଇବା ପାଇଁ ଶାରୀରିକ ଭିନ୍ନକ୍ଷମ ବର୍ଗ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କୋଟା ଅଧୀନରେ ଥିବା ସୁବିଧାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି।