ରାସନକାର୍ଡରୁ କଟିବେ ଭୂତ ହିତାଧିକାରୀ

ରାସନକାର୍ଡରେ ଯୋଡା ହେବେ ନୂଆ ଯୋଗ୍ୟ ହିତାଧିକାରୀ।

ଚିହ୍ନଟ ହେଲେଣି ୨୫ ଲକ୍ଷ ଜାଲ ହିତାଧିକାରୀ

ଭୁବନେଶ୍ବର, ୧୨/୦୭: ଆକ୍ସନ ମୋଡରେ ବିଜେପି ସରକାର। ପୂର୍ବ ସରକାରରେ ଚାଲିଥିବା ଜାଲିଆତି ରୋକିବାକୁ ଚେଷ୍ଟାରତ ବିଜେପି। କେତେବେଳେ ଅଫିସରଙ୍କ ବଦଳି ତ ଆଉ କେତେବେଳେ ଦୁର୍ନୀତି ରୋକିବା ପାଇଁ ପଦକ୍ଷେପ। ଏବେ ସେହିପରି ଗରୀବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ରାସନ କାର୍ଡରେ ସଂସ୍କାର ଆଣିବା ପାଇଁ ଅଭିଯାନ ଚଳାଇଛନ୍ତି ସରକାର। ରାଜ୍ୟରେ ଜାଲ୍ ହିତାଧିକାରୀଙ୍କୁ ଆଉ ମିଳିବନି ଚାଉଳ।

କଟିବେ ଭୂତ ରେସନକାର୍ଡଧାରୀ। ଯୋଡା ହେବେ ନୂଆ ଯୋଗ୍ୟ ରେସନକାର୍ଡଧାରୀ। ରାଜ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଜାଲ ରେସନକାର୍ଡ ହିତାଧିକାରୀ। ଏପର୍ଯ୍ୟନ୍ତ ୨୫ ଲକ୍ଷ ଭୂତ ରେସନକାର୍ଡଧାରୀଙ୍କୁ ଚିହ୍ନଟ କରାଗଲାଣି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। କେବଳ ଯୋଗ୍ୟ ହିତାଧିକାରୀ ପାଇବେ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ମନ୍ତ୍ରୀ କହିଛନ୍ତି ଯେ, ରେସନକାର୍ଡରେ ଅନ୍ତର୍ଭୁକ୍ତ ଥିବା ମୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। ମାସ ଶେଷ ସୁଦ୍ଧା ଭୂତ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହେବ। ସବୁ ଜିଲ୍ଲାରେ ଫଲ୍ସ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସେମାନଙ୍କ ନାମକୁ କଟାଇ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ। ରାସନକାର୍ଡ ପାଇଁ ଆବେଦନ କରିଥିବା ନୂତନ ଆବେଦନକାରୀଙ୍କୁ ଯୋଗ୍ୟ କି ନାହିଁ ଚିହ୍ନଟ କରି ୧୦୦ ଦିନ ଭିତରେ କାର୍ଡ ଯୋଗାଇ ଦିଆଯିବ। ନିଜ ନିର୍ବାଚନମଣ୍ଡଳୀର ମନ୍ତ୍ରୀ ଓ ବିଧାୟକ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିବେ ବୋଲି ମନ୍ତ୍ରୀ କହିଛନ୍ତି।