ଇଡି ମାମଲାରେ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

ସିବିଆଇ ମାମଲାରେ ଦିଲ୍ଲୀ ହାଇକୋର୍ଟରେ ଆସନ୍ତା ୧୮ ତାରିଖରେ ଶୁଣାଣି ହେବ।

ଜାମିନ ପରେ ବି ଜେଲରେ ରହିବେ କେଜ୍ରିୱାଲ

ନୂଆଦିଲ୍ଲୀ, ୧୨/୦୭: ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ। ଇଡି ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କଲେ ମାନ୍ୟବର ସୁପ୍ରିମକୋର୍ଟ। ଇଡି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଆମ୍ ଆଦମୀ ପାର୍ଟି ନେତା।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପକାନ ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଆଜି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ୯୦ ଦିନର ଜେଲଦଣ୍ଡ ଭୋଗି ସାରିଛନ୍ତି। ତେବେ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିବାରୁ କେଜ୍ରିୱାଲ ଏବେ ଜେଲରୁ ମୁକୁଳି ପାରିବେ ନାହିଁ। ସେ ତିହାର ଜେଲରେ ହିଁ ରହିବେ। ଅରବିନ୍ଦ କେଜ୍ରିୱାଲ ଜଣେ ନିର୍ବାଚିତ ନେତା ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କୋର୍ଟ ପକ୍ଷରୁ କେବେ ନିର୍ଦ୍ଦେଶ ଦିଆଯିବ ନାହିଁ। ଜଣେ ନିର୍ବାଚିତ ନେତା ଭାବରେ ସେ ଦଳର କେଉଁ ଭୂମିକାରେ ରହିବେ ତାହା ସେ ନିଜେ ନିଷ୍ପତ୍ତି ନେବେ।

କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ମାମଲାକୁ ସୁପ୍ରିମକୋର୍ଟ ଉପରିସ୍ଥ ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଦ୍ୱାରା ନିଯୁକ୍ତ ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ। ବୃହତ୍ତ ଖଣ୍ଡପୀଠରେ ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଅନ୍ୟପଟେ କେଜ୍ରିୱାଲଙ୍କ ଓକିଲ ବିବେକ ଜୈନ କହିଛନ୍ତି ଯେ, ଆସନ୍ତା ଜୁଲାଇ ୧୮ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ମାମଲାର ଶୁଣାଣି ହେବ।