ଭିତର ରତ୍ନଭଣ୍ଡାରରେ ଅଛି ଅନେକ ସିନ୍ଧୁକ, ଆଲମିରା

ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ରତ୍ନଭଣ୍ଡାରରୁ ବାହାରକୁ ଆସି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ, ୧୪/୦୭: ଦୀର୍ଘ ୪୬ ବର୍ଷର ଘଟିଲା ଅନ୍ତ। ୧୯୭୮ ମସିହା ପରେ ଆଜି ପ୍ରଥମ ଥର ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର। ୧୧ ଜଣିଆ ଟିମର ଉପସ୍ଥିତିରେ ଖୋଲିଲା ରତ୍ନଭଣ୍ଡାର। ପୂର୍ବ ନିର୍ଦ୍ଧାରିତ ଏସ୍ଓପି ଅନୁସାରେ ରତ୍ନଭଣ୍ଡାର ଖୋଲା ଯାଇଥିଲା। ରତ୍ନଭଣ୍ଡାର ଖୋଲିବା ପାଇଁ ୧ଟା ୨୮କୁ ଶୁଭ ମୁହୂର୍ତ୍ତ ବୋଲି ଧାର୍ଯ୍ୟ କରାଯାଇଥିଲା।

ବାହାରକୁ ଆସିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଖୋଲାଗଲା। ବାହାର ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାରକୁ ଚାଙ୍ଗଡ଼ା ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି। ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୂତନ ତାଲା ପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ଟ୍ରେଜେରୀ ଚାବିରେ ତିନୋଟି ତାଲା ଖୋଲିବାକୁ ଚେଷ୍ଟା ହୋଇଥିଲା। କିନ୍ତୁ ତାଲା ନ ଖୋଲିବାରୁ ତାଲାକୁ ଭଙ୍ଗା ଯାଇଥିଲା। ଭିତର ରତ୍ନଭଣ୍ଡାରରେ ଅନେକ ସିନ୍ଧୁକ ଓ ଆଲମିରା ଦେଖିବାକୁ ମିଳିଛି। ସମୟ ଅଭାବରୁ ଆଜି ଅଳଙ୍କାର ସ୍ଥାନାନ୍ତର କରାଯାଇ ନାହିଁ। ଭଣ୍ଡାରରେ କଣ ସବୁ ରହିଛି ତାହାକୁ ଆମେ ଦେଖିନୁ, ଖାଲି ଯାଞ୍ଚ କରିଛୁ। ଭିତର ରତ୍ନଭଣ୍ଡାରରୁ ଅଳଙ୍କାର କେବେ ସ୍ଥାନାନ୍ତର କରାଯିବ ସେ ନେଇ ବୈଠକ ବସି ନିଷ୍ପତ୍ତି ନିଆଯିବ। ବାହୁଡ଼ା ଓ ସୁନାବେଶ ଖୋଲିବା ପରେ ରତ୍ନଭଣ୍ଡାର ଖୋଲାଯିବ ଏବଂ ପରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ।ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପାଇଁ ଖଟ ଶେଯ ଘରକୁ ଷ୍ଟ୍ରଙ୍ଗରୁମ ଭାବେ ବଛା ଯାଇଛି। ଭିତର ରତ୍ନଭଣ୍ଡାର ଖୋଲିବା ପରେ ପ୍ରଥମେ ତାର ମରାମତି ହେବ ପରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ଭିତର ରତ୍ନଭଣ୍ଡାରକୁ ଅଳଙ୍କାର ନିଆଯାଇ ସେଠାରେ ଗଣତି ହେବ।