ଶାନ୍ତି ବଦଳରେ ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି ଉତ୍ତରପ୍ରଦେଶ ସରକାର: ବିଜେଡି

ଶ୍ରାବଣ ମାସରେ ଶାନ୍ତି ଓ ଏକତା ପାଇଁ ଉଦ୍ୟମ ହେବା ଉଚିତ୍

ବିଭାଜନକାରୀ ନୀତି ନ ଆପଣାନ୍ତୁ ୟୁପି ସରକାର

ଭୁବନେଶ୍ୱର, ୨୨/୦୭: ଉତ୍ତରପ୍ରଦେଶରେ କାଉଡ଼ିଆ ଯାତ୍ରାରେ ନାମଫଳକ ବିବାଦକୁ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ନିଜ ପ୍ରତିକ୍ରିୟା ଦେଇ ବିଜେଡ଼ିର ବରିଷ୍ଠ ରାଜ୍ୟ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା କହିଥିଲେ ଯେ, କାଉଡିଆ ଯାତ୍ରା ମାର୍ଗରେ ଥିବା ଦୋକାନରେ ଦୋକାନୀମାନେ ସେମାନଙ୍କ ନାମ ନିଶ୍ଚିତ ଭାବେ ଲେଖିବାକୁ ଉତ୍ତରପ୍ରଦେଶ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶର ବିଜେପି ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଅତ୍ୟନ୍ତ ଚିନ୍ତାଜନକ । ଏଭଳି ନିର୍ଦ୍ଦେଶ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ କରିବା ସହ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରୁଛି । ଶାନ୍ତି ବଦଳରେ ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହନ କରାଯାଉଛି । ଏହା ଅନୁକୂଳ ପରିବେଶ ସୃଷ୍ଟି କରିବା ପରିବର୍ତ୍ତେ, ସାମାଜିକ ବିଭାଜନ ଏବଂ ଭୟର ବାତାବରଣ ସୃଷ୍ଟି କରିବ । ପବିତ୍ର ଶ୍ରାବଣ ମାସ ହେଉଛି ଏକତା ଏବଂ ଶାନ୍ତିର ମାସ, ଏହି ସମୟରେ ଏଭଳି ନୀତି ପ୍ରଣୟନ କରାନଯାଉ ଯାହା କଳହର ମଞ୍ଜି ବୁଣିବ । ବର୍ତ୍ତମାନ ସମୟରେ ସରକାର ଏପରି ବିଭାଜନକାରୀ ତଥା ଅନାବଶ୍ୟକ ନିର୍ଦ୍ଦେଶ ଦେବା ଅପେକ୍ଷା ଲୋକଙ୍କୁ ପ୍ରଭାବିତ କରୁଥିବା ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଭିତ୍ତିଭୂମି ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ।