କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅଟଳ ଇନୋଭେସନ ମିଶନ ଏବଂ ଓ୍ୱିପୋ ମଧ୍ୟରେ ଏଲଓଆଇ ସ୍ୱାକ୍ଷରିତ

• ଗ୍ଲୋବାଲ୍ ସାଉଥ ସମୂହ ଦେଶ ଗୁଡିକର କଲ୍ୟାଣ ପାଇଁ ଉଦ୍ଭାବନ, ଉଦ୍ୟମିତା ଏବଂ ବୌଦ୍ଧିକ କ୍ଷମତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ। • ନବସୃଜନ ହେଉଛି ଭାରତର ଶକ୍ତି, ଏହି ଭାଗିଦାରୀ ଅନ୍ୟ ରାଷ୍ଟ୍ର ପାଇଁ ପଥପ୍ରଦର୍ଶକ ସାଜିବ।

ଭାରତର ଇନୋଭେସନ ବିଶ୍ୱସ୍ତରରେ ପହଞ୍ଚିଛି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୨/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଇନୋଭେସନକୁ ପ୍ରୋତ୍ସାହିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅଟଳ ଇନୋଭେସନ ମିଶନ ଏବଂ ଓ୍ୱିପୋ(ଓ୍ୱାର୍ଲ୍ଡ୍ ଇଣ୍ଟେଲେକ୍ଚ୍ୟୁଆଲ୍ ପ୍ରପୋର୍ଟି ଅର୍ଗାନାଇଜେସନ) ମଧ୍ୟରେ ଏକ ଏଲଓଆଇ(ଲେଟର ଅଫ୍ ଇଣ୍ଟେଣ୍ଟ୍) ସ୍ୱାକ୍ଷରିତ ହୋଇଯାଇଛି ।

ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ଭାରତର ଇନୋଭେସନ ଇକୋସିଷ୍ଟମ ବିଶ୍ୱସ୍ତରରେ ପହଞ୍ଚିଛି । ବିଶେଷତଃ ଗ୍ଲୋବାଲ ସାଉଥ ସମୂହ ଦେଶ ଗୁଡିକ କଲ୍ୟାଣ ପାଇଁ ଉଦ୍ଭାବନ, ଉଦ୍ୟମିତା ଏବଂ ବୌଦ୍ଧିକ କ୍ଷମତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଏଲଓଆଇ ସ୍ୱାକ୍ଷରିତ ହୋଇଛି । ଇନୋଭେସନ କ୍ଷେତ୍ରରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ନବସୃଜନ ହେଉଛି ଭାରତର ଶକ୍ତି । ଅଟଳ ଇନୋଭେସନ ମିଶନ ଏବଂ ଓ୍ୱିପୋ ମଧ୍ୟରେ ଏହି ଭାଗିଦାରୀ ଅନ୍ୟ ରାଷ୍ଟ୍ର ପାଇଁ ପଥପ୍ରଦର୍ଶକ ସାଜିବ । ଶିକ୍ଷା କ୍ଷେତ୍ରରେ ଭାରତର ଅଭିନବ ମଡେଲ ଗୁଡିକ ବିକାଶଶୀଳ ରାଷ୍ଟ୍ରରେ ଉପଯୋଗ ହେବ । ବିଦ୍ୟାଳୟ ସ୍ତରରୁ ଆଇପିଆର୍(ଇଣ୍ଟେଲେକ୍ଚ୍ୟୁଆଲ ପ୍ରପର୍ଟି ରାଇଟ୍ସ) ବିଷୟରେ ବୁଝାମଣା ଏବଂ ସଚେତନତା ବ୍ୟାପକ ହେବ । ବିଶ୍ୱରେ ଇନେଭୋସନ କ୍ଷେତ୍ରରେ ଥିବା ସମ୍ଭାବନାର ଅନ୍ୱେଷଣ କରିବ । ସ୍ଥାୟୀ ଏବଂ ସମାବେଶୀପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧି ପାଇଁ ଉଭୟ ସଂସ୍ଥା କାର୍ଯ୍ୟ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।