୯ ରାଜ୍ୟରେ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି

ଗତ କାଲି ମଧ୍ୟ ରାତ୍ରିରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରମେନ ଡେକା ହେଲେ ଛତିଶଗଡ଼ ରାଜ୍ୟପାଳ

ନୂଆଦିଲ୍ଲୀ, ୨୮/୦୭: ଗତ କାଲି ମଧ୍ୟ ରାତ୍ରିରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ଟି ରାଜ୍ୟରେ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଥିବା ବେଳେ ୩ଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରାଯାଇଛି। ରାଜସ୍ଥାନ, ତେଲେଙ୍ଗାନା, ଝାଡ଼ଖଣ୍ଡ, ଛତିଶଗଡ଼, ମେଘାଳୟ, ମହାରାଷ୍ଟ୍ର ଓ ମଣିପୁର ସହିତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଓ ଚଣ୍ଡୀଗଡ଼ରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି।

ହରିଭାଉ କିଷାନରାଓ ବାଗଡେ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବେଳେ ଜିଷ୍ଣୁ ଦେବ ବର୍ମା ତେଲେଙ୍ଗାନାର ରାଜ୍ୟପାଳ, ଓମ୍ ପ୍ରକାଶ ମାଥୁର ସିକ୍କିମ, ସନ୍ତୋଷ କୁମାର ଗଙ୍ଗୱାର ଝାଡ଼ଖଣ୍ଡ, ରମେନ ଡେକା ଛତିଶଗଡ଼ ଏବଂ ସିଏଚ୍ ବିଜୟଶଙ୍କରଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ନୂତନ ନିଯୁକ୍ତି ମିଳିଛି। ସେହିପରି ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ସହିତ ତେଲେଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ପଞ୍ଜାବ ଏବଂ ଚଣ୍ଡୀଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସିକ୍କିମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମ ରାଜ୍ୟପାଳ ଭାବେ ନିଯୁକ୍ତି ଦେବା ସହିତ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।