ମାଲକାନଗିରିରେ ଡାଇରିଆ ଆତଙ୍କ

୫୦ରୁ ଊର୍ଦ୍ଧ୍ଵ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ମାଲକାନଗିରି, ୨୮/୦୭: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଲୋକେ ନାହିଁ ନଥିବା ସମସ୍ଯା ଭୋଗୁଥିବା ବେଳେ ଏହାରି ଭିତରେ ଜିଲ୍ଲାରେ ବଢିବାରେ ଲାଗିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଗତ ଏକ ସପ୍ତାହ ମଧ୍ୟରେ ପ୍ରାୟ ୫୦ ରୋଗୀ ଡାଇରିଆରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ହେବ ବଢିବାରେ ଲାଗିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଜିଲ୍ଲାରେ ବର୍ତ୍ତମାନ ଡାଇରିଆ ରୋଗ ନିଜର କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଜିଲ୍ଲା ସଦରରେ ଥିବା ମୁଖ୍ୟ ଚିକିତ୍ସାଳଯରେ ଏକ ସପ୍ତାହ ମଧ୍ୟରେ ପ୍ରାୟ ୫୦ ରୋଗୀ ଭର୍ତ୍ତି ହୋଇଥିବା ବେଳେ ସେଥି ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨୫ ଜଣ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଡାଇରିଆ ରୋଗର ଚିକିତ୍ସା ପାଇଁ ରହିଥିବା କକ୍ଷରେ ମାତ୍ର ୬ ଟି ଖଟିଆ ରହିଥିବା ବେଳେ ରୋଗୀଙ୍କ ସଂଖ୍ୟା ଆକଳନ ଠାରୁ ଅଧିକ ହେବାରୁ ଚିକିତ୍ସାଳୟରେ ଅନ୍ୟ ରୋଗୀଙ୍କ ପାଇଁ ମଧ୍ୟ ଖଟିଆର ବ୍ୟବସ୍ତା କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ତେବେ ଏନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଭେଷଜ ବିଶେସଜ୍ଞ ଡ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏହି ଡାଇରିଆ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଅନେକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନେକ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସମସ୍ତ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାରର ସେବା ଯୋଗାଇ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି ।