ଆଇଏଏସ୍ ସ୍ୱପ୍ନ ଧୂଳିସାତ, କୋଚିଂ ସେଣ୍ଟରରେ ଗଲା ଜୀବନ

ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ବନ୍ୟା ପାଣି ପଶି ୩ ଜଣଙ୍କ ମୃତ୍ୟୁ ହୋଇଛି।

ମାଲିକ, କୋର୍ଡିନେଟର ଗିରଫ

ନୂଆଦିଲ୍ଲୀ, ୨୮/୦୭: ସିଭିଲ ସର୍ଭିସଙ୍କ ହବ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଘଟିଛି ଏକ ବଡ଼ ଅଘଟଣ। ଆଇଏଏସ୍ ହେବାକୁ ସ୍ୱପ୍ନ ରଖିଥିବା ଆଶାୟୀ ଛାତ୍ରଛାତ୍ରୀ ବନ୍ୟା ପାଣିରେ ବୁଡ଼ି ଜୀବନ ହରାଇଛନ୍ତି। ରାଜେନ୍ଦ୍ର ନଗରରେ ଥିବା ରାଉସ୍ ଆଇଏଏସ୍ ଷ୍ଟଡି ସର୍କଲ କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ମୃତ୍ୟୁ ବରଣ କରିଛନ୍ତି ୩ ଆଇଏଏସ୍ ଆଶାୟୀ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ବେସମେଣ୍ଟରେ ଥିବା ଲାଇବ୍ରେରୀରେ ପାଠ ପଢୁଥିବା ସମୟରେ କେହି କିଛି ବୁଝିବା ଆଗରୁ ହିଁ ହଠାତ୍ ପାଣି ମାଡି ଆସିଥିଲା। ପାଣିର ସ୍ରୋତ ଏତେ ପ୍ରଖର ରହିଥିଲା ଯେ ଛାତ୍ରଛାତ୍ରୀମାନେ ଉପରକୁ ଯିବା ପାଇଁ ସକ୍ଷମ ହୋଇପାରିନଥିଲେ। ଏହି ଘଟଣା ପରେ ଏନଡିଆରଏଫ ଟିମ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜୀବନ୍ତ ଅବସ୍ଥାରେ ୧୦ ଜଣଙ୍କୁ ଏବଂ ମୃତ ୩ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ସହ ପମ୍ପ ଲଗାଇ ପାଣି ନିଷ୍କାସନ କରିଥିଲେ। ଏହି ଘଟଣାରେ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର।

ତେବେ ଏହି ଘଟଣା ପରେ ରବିବାର ସକାଳେ ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କ ଗିରଫ ଦାବିରେ ଧାରଣାରେ ବସିଥିଲେ। ଏ ନେଇ କୋଚିଂ ସେଣ୍ଟର ମାଲିକ ଅଭିଷେକ ଗୁପ୍ତା ଓ କୋର୍ଡିନେଟର ଦେଶପାଲ ସିଂହଙ୍କୁ କୋଚିଂ ସେଣ୍ଟରରେ ବନ୍ୟା ଯୋଗୁଁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିବା ଘଟଣାରେ ଗିରଫ କରାଯାଇଛି। ଦୁହିଁଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଦଫା ୧୦୫ (ଅନିଚ୍ଛାକୃତ ହତ୍ୟା), ୧୦୬(୧) (କୌଣସି ବେପରୁଆ କିମ୍ବା ଅବହେଳା ଜନିତ କାର୍ଯ୍ୟ କରି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ), ୧୧୫(୨) (ସ୍ବେଚ୍ଛାକୃତ ଭାବେ କ୍ଷତି ପହଞ୍ଚାଇବା ପାଇଁ ଦଣ୍ଡ), ୨୯୦ (କୋଠା ଭାଙ୍ଗିବା, ମରାମତି କିମ୍ବା ନିର୍ମାଣ କ୍ଷେତ୍ରରେ ଅବହେଳା ଆଚରଣ) ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୫ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି।

ବେସମେଣ୍ଟରୁ ମୋଟ ୩ ମୃତଦେହ ଉଦ୍ଧାର କରାଯାଇ ସମସ୍ତଙ୍କୁ ଚିହ୍ନଟ କରାଯାଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଯାଇଛି। ମୃତକମାନେ ହେଲେ ତେଲେଙ୍ଗାନାର ତାନିଆ ସୋନି (୨୫), ଉତ୍ତରପ୍ରଦେଶ ଆମ୍ବେଦକର ନଗରର ଶ୍ରେୟା ଯାଦବ (୨୫) ଓ କେରଳ ଏର୍ଣ୍ଣାକୁଲମର ନବୀନ ଦଲୱିନ (୨୮)।

ପ୍ରାଥମିକ ତଦନ୍ତରୁ ଜଣାପଡିଛି, ପ୍ରବଳ ବର୍ଷା ଯୋଗୁଁ କୋଚିଂ ସେଣ୍ଟରର ଗେଟ୍ ବନ୍ଦ ହୋଇଯାଇଥିଲା। କୋଚିଂ ସେଣ୍ଟରର ପ୍ରବେଶ ଦ୍ୱାରରେ ଏକ ଷ୍ଟିଲ ସେଡ୍ ଲଗାଯାଇଛି ଯାହା ଦ୍ୱାରା ଏହି ଅଞ୍ଚଳରେ ପାଣି ପ୍ରବେଶ କରିପାରିବ ନାହିଁ। ହେଲେ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ସେହି ଷ୍ଟିଲ ଶେଡଟି ଭାଙ୍ଗି ଯାଇଥିଲା ଓ ବେସମେଣ୍ଟ ଭିତରକୁ ପାଣି ପଶି ଯାଇଥିଲା। ସେପଟେ କୋଚିଂ ସେଣ୍ଟରର ବେସମେଣ୍ଟକୁ କେବଳ ଷ୍ଟୋରେଜ୍ ପାଇଁ ବ୍ୟବହାର କରାଯିବ ବୋଲି ଏନ୍ଓସି ମିଳିଥିଲା। ହେଲେ, ସେହି ସ୍ଥାନକୁ ଲାଇବ୍ରେରୀ ଭାବେ ବ୍ୟବହାର କରା ଯାଉଥିଲା। ଯାହାକୁ ନେଇ ଏବେ ତଦନ୍ତ କରାଯାଉଛି।