ଧର୍ମ ବଦଳାଇଲେ ହେବ ଆଜୀବନ କାରାଦଣ୍ଡ

‘ଲଭ ଜିହାଦ’ ପାଇଁ ନୂଆ ଆଇନ ଆଣିଲେ ୟୁପି ସରକାର

ଉତ୍ତରପ୍ରଦେଶ, ୩୦/୦୭: ଉତ୍ତରପ୍ରଦେଶରେ ଧର୍ମାନ୍ତରୀକରଣ ବିରୋଧରେ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବଳପୂର୍ବକ ଧର୍ମାନ୍ତରୀକରଣ ପାଇଁ ବାଧ୍ୟ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଲଭ ଜିହାଦ ପାଇଁ ନୂତନ ଆଇନ ଆଣିଲେ ଉତ୍ତରପ୍ରଦେଶ ସରକାର। ଲଭ ଜିହାଦ ଅପରାଧୀଙ୍କ ଦଣ୍ଡ ବିଧାନ ପାଇଁ ଉତ୍ତରପ୍ରଦେଶ ବିଧାନସଭାରେ ପାରିତ ହୋଇଛି ନୂଆ ବିଲ୍। ଏହି ନୂଆ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ (ସଂଶୋଧନ) ବିଲ୍, ୨୦୨୪ ଅନୁସାରେ, ପୂର୍ବରୁ ଜଣେ ମହିଳାଙ୍କୁ ପ୍ରତାରଣା କରି ବିବାହ କରି ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କୁ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡୁଥିବା ବେଳେ ନୂଆ ଆଇନରେ ସର୍ବାଧିକ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ନୂଆ ନିୟମ ଅନୁଯାୟୀ, ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଯେ କୌଣସି ବ୍ୟକ୍ତି ଏଫ୍ଆଇଆର ରୁଜୁ କରି ପାରିବେ। କିନ୍ତୁ ପୂର୍ବରୁ ଏହି ମାମଲା ସମ୍ପର୍କରେ ଅଭିଯୋଗ ଦେବା ପାଇଁ ପୀଡ଼ିତା, ତାଙ୍କ ପିତାମାତା କିମ୍ବା ଭାଇଭଉଣୀଙ୍କ ଉପସ୍ଥିତି ଜରୁରୀ ଥିଲା। ହାଇକୋର୍ଟରେ ଏହି ମାମଲାର ଶୁଣାଣି କରାଯିବ। ସେସନ୍ସ କୋର୍ଟ ତଳେ ଥିବା କୌଣସି ଅଦାଲତରେ ଏହି ମାମଲାର ଶୁଣାଣି କରାଯିବ ନାହିଁ ଏବଂ ଏହା ସହିତ ସରକାରୀ ଓକିଲଙ୍କୁ ଅନୁପସ୍ଥିତିରେ ଜାମିନ ଆବେଦନ ଉପରେ ବିଚାର କରାଯିବ ନାହିଁ। ଏଭଳି ଅପରାଧକୁ ଜାମିନ ବିହୀନ କରାଯାଇଛି।