ତେହରାନରେ ହମାସ ମୁଖ୍ୟ ଇସମାଇଲ ହାନିୟା ନିହତ

ଇରାନର ରାଜଧାନୀ ତେହରାନରେ ବିସ୍ଫୋରଣରେ ନିହତ ହୋଇଛନ୍ତି ହାନିୟା।

ଇରାନର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ ହାନିୟା

ଇରାନ, ୩୧/୦୭: ହମାସର ସର୍ବୋଚ୍ଚ ନେତା ଇସମାଇଲ ହାନିୟାଙ୍କୁ ନିପାତ କରିଛି ଇସ୍ରାଏଲ। ଇରାନର ରାଜଧାନୀ ତେହରାନରେ ବିସ୍ଫୋରଣରେ ନିହତ ହୋଇଛନ୍ତି ହାନିୟା। ହାନିୟାଙ୍କ ସହ ତାଙ୍କ ବଡିଗାର୍ଡର ମଧ୍ୟ ମୃତ୍ୟୁ ହୋଇଛି। ହମାସର ଶୀର୍ଷ ନେତା ଇସମାଇଲ ହାନିୟାଙ୍କ ବୁଧବାର ସକାଳେ ତେହେରାନରେ ତାଙ୍କ ବାସଭବନରେ ମୃତ୍ୟୁ ହୋଇଛି ବୋଲି ଇରାନର ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ ଏକ ବିବୃତିରେ କହିଛି। ତେବେ ହାନିୟାଙ୍କ ହତ୍ୟା ପଛରେ କାହାର ହାତ ଅଛି ଜଣା ପଡିନଥିବା ବେଳେ ଗାଜାରେ ଇସ୍ରାଏଲ ସହ ଯୁଦ୍ଧରେ ଲିପ୍ତ ଥିବା ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ କହିଛି ଯେ ହାନିୟାଙ୍କ ହତ୍ୟା ପଛରେ ଇସ୍ରାଏଲର ହାତ ଅଛି।

ଗତ କାଲି ହମାସ ମୁଖ୍ୟ ଇସମାଇଲ ହାନିୟା ଇରାନରେ ନୂତନ ଭାବେ ନିର୍ବାଚିତ ହୋଇଥିବା ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ହାନିୟା। ଏହା ସହ ସେ ଗତକାଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କୁ ମଧ୍ୟ ଭେଟିଥିଲେ। ଏହା ପର ଦିନ ଅର୍ଥାତ ବୁଧବାର ସକାଳେ ଇସ୍ରାଏଲ ସେନା ପକ୍ଷରୁ ଏହି ଆକ୍ରମଣ ହୋଇଥିଲା।

ଗତ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ଜୋରଦାର ହାମଲା କରିଥିଲା ହମାସ। ଇସ୍ରାଏଲର ପ୍ରାୟ ୧୨୦୦ ନାଗରିକଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିବା ସହ ୨୫୦ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ନେଇଥିଲେ ହମାସ ଆତଙ୍କୀ। ପରବର୍ତ୍ତୀ ସମୟରେ କିଛି ଲୋକଙ୍କୁ ଛାଡି ଦେଇଥିବା ବେଳେ ଆଉ କିଛି ଲୋକଙ୍କୁ ହତ୍ୟା କରିଥିଲେ ହମାସ ଆତଙ୍କୀ। ଏହା ବାଦ ବର୍ତ୍ତମାନ ସୁଦ୍ଧା ୧୫୦ ଲୋକଙ୍କୁ ପଣବନ୍ଦୀ କରି ରଖିଛି ହମାସ। ଏହା ପରଠାରୁ ହମାସ ଉପରେ ପ୍ରତି ଆକ୍ରମଣ କରି ଚାଲିଛି ଇସ୍ରାଏଲ। ଏହାର ଜବାବରେ ଗତ ଏପ୍ରିଲରେ ହାନିୟାଙ୍କ ତିନି ପୁଅ ଓ ଚାରି ନାତି ନାତୁଣୀଙ୍କ ଉପରେ ଏୟାର ଷ୍ଟ୍ରାଇକ କରି ନିପାତ କରିଥିଲା ଇସ୍ରାଏଲ। ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନରେ ୩୯ ହଜାର ନାଗରିକଙ୍କ ମୃତ୍ୟୁ ହୋଇ ସାରିଲାଣି।

ଉଲ୍ଲେଖଯୋଗ୍ୟ, ଇସମାଇଲ ହାନିୟା ୧୯୬୨ ମସିହାରେ ଗାଜା ସିଟି ନିକଟରେ ଏକ ଶରଣାର୍ଥୀ ଶିବିରରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୮୦ ଶେଷ ଆଡ଼କୁ ହମାସ ସଂଗଠନରେ ଯୋଗ ଦେଇଥିଲେ। ହମାସର ପ୍ରତିଷ୍ଠାତା ଶେଖ୍ ଅହମ୍ମଦ ୟାସିନଙ୍କ ଘନିଷ୍ଠ ସହଯୋଗୀ ଥିଲେ ହାନିୟା। ସେ ୨୦୦୬ରେ ପାଲେଷ୍ଟାଇନର ପ୍ରଧାନମନ୍ତ୍ରୀ ପଦରେ ଥିଲେ ହାନିୟା। ଯଦିଓ ୨୦୦୭ରେ ରାଷ୍ଟ୍ରପତି ମହମ୍ମଦ ଆବାସ ତାଙ୍କୁ ପଦରୁ ବହିଷ୍କାର କରିଥିଲେ, ତେଣୁ ତାହା ସ୍ୱଳ୍ପକାଳୀନ ଥିଲା। ୨୦୦୭ରୁ ଗାଜା ଷ୍ଟ୍ରିପରେ ଶାସନ କରୁଥିବାର ନଜର ଆସିଥିଲେ। ସେ ୨୦୧୭ରୁ ହମାସ ପଲିଟିକାଲ ବ୍ୟୁରୋର ଅଧ୍ୟକ୍ଷ ଥିଲେ ଏବଂ କତାରରେ ରହି ଆସୁଥିଲେ ହାନିୟା। ସେହି ବର୍ଷ ହାନିୟାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ‘ବିଶ୍ୱ ଆତଙ୍କବାଦୀ’ ଘୋଷଣା କରିଥିଲା।