ବିପଦରେ ବାଂଲାଦେଶୀ ହିନ୍ଦୁ

ବାଂଲାଦେଶରେ ସରକାରୀ ଚାକିରି ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ସମଗ୍ର ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି କରିଛି।

୧ କୋଟି ହିନ୍ଦୁ ଭାରତରେ ଶରଣ ନେବା ଆଶଙ୍କା

ନୂଆଦିଲ୍ଲୀ, ୬/୮: ବର୍ତ୍ତମାନ ବାଂଲାଦେଶର ମୋଟ ଜନସଂଖ୍ୟା ୧୭.୧୨ କୋଟି। ବର୍ତ୍ତମାନ ବାଂଲାଦେଶର ମୋଟ ଜନସଂଖ୍ୟାର ପ୍ରାୟ ୯୧.୪ ପ୍ରତିଶତ ମୁସଲମାନ, ୭.୯୫ ପ୍ରତିଶତ ଅର୍ଥାତ୍ ପ୍ରାୟ ୧୩.୧ ନିୟୁତ ଲୋକ ହିନ୍ଦୁ, ୦.୬୧ ପ୍ରତିଶତ ବୌଦ୍ଧ, ୦.୩୦ ପ୍ରତିଶତ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଅଟନ୍ତି। ୧୯୫୧ ମସିହାରେ ବାଂଲାଦେଶର ଜନସଂଖ୍ୟାରେ ହିନ୍ଦୁଙ୍କ ସଂଖ୍ୟା ୨୨ ପ୍ରତିଶତ ଥିଲା। କିନ୍ତୁ ହିନ୍ଦୁ ଆମେରିକୀୟ ଫାଉଣ୍ଡେସନର ଏକ ରିପୋର୍ଟ ଅନୁଯାୟୀ, ୧୯୬୪ରୁ ୨୦୧୩ ମଧ୍ୟରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ୧୧ ନିୟୁତରୁ ଅଧିକ ହିନ୍ଦୁ ବାଂଲାଦେଶ ଛାଡ଼ି ପଳାଇଥିଲେ। ଇତିହାସରେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହୋଇଛି। ୨୦୨୧ରେ ବାଂଲାଦେଶ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେବେଠାରୁ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଆହୁରି ବଢିବାରେ ଲାଗିଥିଲା। ଅନେକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା। ହେଲେ, ସାମ୍ପ୍ରତିକ ପରିସ୍ଥିତିରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଆହୁରି ଉଗ୍ର ରୂପ ନେବାରେ ଲାଗିଛି।

ବାଂଲାଦେଶରେ ସରକାରୀ ଚାକିରି ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ସମଗ୍ର ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି କରିଛି। ମୁଖ୍ୟତଃ ବାଂଲାଦେଶର ସଂଖ୍ୟାଲଘୁ ସଂପ୍ରଦାୟ ତଥା ହିନ୍ଦୁମାନେ ଆକ୍ରମଣର ଶିକାର ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡି ଭାରତକୁ ପଳାୟନ କରିବା ପରେ ଏବେ ବାଂଲାଦେଶୀ ମୁସଲମାନଙ୍କ ଟାର୍ଗେଟ ହେଉଛନ୍ତି ହିନ୍ଦୁ। ମୁଖ୍ୟତଃ ବାଂଲାଦେଶରେ ଆନ୍ଦୋଳନ କରୁଥିବା ଛାତ୍ରମାନଙ୍କ ମଧ୍ୟରେ ରାଜନୈତିକ ଦଳ ଯଥାକ୍ରମେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଓ ଇସଲାମିଷ୍ଟ ଅଫ୍ ଜମାତ୍ ମଧ୍ୟ ସମ୍ପୃକ୍ତ ଅଛନ୍ତି। ଯେଉଁମାନେ ପାକିସ୍ତାନ ସମର୍ଥିତ ବୋଲି ଜଣାଯାଏ। ଏହି ଆନ୍ଦୋଳନରେ ୩୦୦ରୁ ଊର୍ଦ୍ଧ୍ବ ଲୋକଙ୍କର ଜୀବନ ମଧ୍ୟ ଗଲାଣି।

ଗତ ରବିବାର ରଙ୍ଗପୁର ନଗର ନିଗମର ହିନ୍ଦୁ କାଉନସିଲର ହରଧନ ରାୟ ଏବଂ ଆଉ ଜଣେ କାଉନସିଲର କାଜଲ ରାୟଙ୍କୁ ମଧ୍ୟ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୋମବାର ୨୭ଟି ଜିଲ୍ଲାରେ ହିନ୍ଦୁମାନଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ସହ ସେମାନଙ୍କ ମୂଲ୍ୟବାନ ସାମଗ୍ରୀ ଲୁଟି ନିଆଯାଇଛି। ବାଂଲାଦେଶର ଖୁଲନା ଡିଭିଜନ ଅନ୍ତର୍ଗତ ମେହେରପୁରରେ ଥିବା ଇସ୍କନ ମନ୍ଦିର ଓ ଏକ କାଳୀ ମନ୍ଦିରରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦିଆଯାଇଛି। ସେହିପରି ମେହେରପୁରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଥିବା ଏକ ଇସ୍କନ୍ ମନ୍ଦିରକୁ ମଧ୍ୟ ପୋଡି ଦିଆ ଯାଇଥିବାର ନଜର ଆସିଛି। ସେହି ସମୟରେ ମନ୍ଦିରରେ ଥିବା ୩ ଜଣ ଶ୍ରଦ୍ଧାଳୁ କୌଣସି ପ୍ରକାରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ବୋଲି ଇସ୍କନ ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦ ଦାସ ଟୁଇଟ୍ କରି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ ହରଧନ ରାୟଙ୍କୁ ହତ୍ୟା କରାଯିବା ଘଟଣାକୁ ନିନ୍ଦନୀୟ ବୋଲି ଟୁଇଟ୍ କରିଛନ୍ତି। ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ଏକତା ପରିଷଦ ଏକ୍ସରେ ଏକ ପୋଷ୍ଟ କରି କହିଛି, ହିନ୍ଦୁ ସମ୍ପ୍ରଦାୟର ମନ୍ଦିର, ଘର ଏବଂ ପ୍ରତିଷ୍ଠାନ ଉପରେ ୫୪ଟି ଆକ୍ରମଣ ହୋଇଛି। ସେଗୁଡ଼ିକ ମଧ୍ୟରେ ଇନ୍ଦିରା ଗାନ୍ଧୀ ସାଂସ୍କୃତିକ କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ। ଯାହା ଭାରତ ଏବଂ ବାଂଲାଦେଶ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ ରଖିଥାଏ।

ବାଂଲାଦେଶ ସହ ଭାରତ ୪,୦୯୬ କିଲୋମିଟର ବର୍ଡର ସେୟାର କରୁଛି। ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେବା ଫଳରେ ଭାରତର ସୀମାନ୍ତବର୍ତ୍ତୀ ରାଜ୍ୟ ପଶ୍ଚିମବଙ୍ଗକୁ ଏହି ବର୍ଡର ଦେଇ ବହୁ ହିନ୍ଦୁ ଶରଣାର୍ଥୀଙ୍କ ଆଗମନ ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗର ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗକୁ ବାଂଲାଦେଶର ଏକ କୋଟି ହିନ୍ଦୁଙ୍କୁ ଆଶ୍ରୟ ଦେବାକୁ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ପଡ଼ିବ।