ରାଜ୍ୟସଭା ଉପନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି

ଅଗଷ୍ଟ ୧୪ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ସେପ୍ଟେମ୍ବର ୩ରେ ହେବ ନିର୍ବାଚନ

ନୂଆଦିଲ୍ଲୀ, ୭/୮: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ସାଂସଦ ପଦ ପାଇଁ ଉପନିର୍ବାଚନ ହେବ। ସକାଳ ୯ଟାରୁ ଦିନ ୪ଟା ପର୍ଯ୍ୟନ୍ତ ନିର୍ବାଚନ ହେବ। ସେହିଦିନ ଭୋଟ ଗଣତି ହେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଅଗଷ୍ଟ ୨୧ ତାରିଖ ପ୍ରାର୍ଥୀପତ୍ର ଦାଖଲ ଶେଷ ପାଇଁ ଶେଷ ତାରିଖ ରହିଥିବା ବେଳେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଅଗଷ୍ଟ ୨୭ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ପାରିବେ। ଅଗଷ୍ଟ ୧୪ରେ ଆସିବ ବିଧିବଦ୍ଧ ବିଜ୍ଞପ୍ତି।

ଦେଶରେ ଖାଲି ପଡ଼ିଥିବା ୯ଟି ରାଜ୍ୟର ୧୨ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ମହାରାଷ୍ଟ୍ର, ବିହାର ଓ ଆସାମର ୨ଟି ଲେଖାଏଁ ଆସନ; ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ତେଲେଙ୍ଗାନା ଓ ଓଡ଼ିଶାର ଗୋଟିଏ ଲେଖାଏଁ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୩୧ ତାରିଖରେ ବିଜେଡିର ପୂର୍ବତନ ସାଂସଦ ମମତା ମହନ୍ତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟିଏ ସିଟ୍ ଖାଲି ପଡିଛି। ମମତା ମହନ୍ତଙ୍କ କାର୍ଯ୍ୟକାଳ ୨ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଥିଲା। ହେଲେ, କାର୍ଯ୍ୟକାଳ ପୂରିବା ପୂର୍ବରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ।