ସ୍ମରଣୀୟ ଦିବସ ସହ ହକିରୁ ଅବସର ନେଲେ ପିଆର୍ ଶ୍ରୀଜେଶ

୨୦୧୭ରେ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ଏବଂ ୨୦୨୧ରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

ଭାରତୀୟ ହକି ଟିମର ଶ୍ରେଷ୍ଠ ଗୋଲକିପର ଶ୍ରୀଜେଶ

ନୂଆଦିଲ୍ଲୀ, ୮/୮: ଆଜିର ଦିନରେ ଇତିହାସ ରଚିଛି ଭାରତ। ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ। ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ଏହି ସଫଳତା ହାସଲ କରିଛି। ଏହି ସ୍ମରଣୀୟ ଦିବସ ସହ ହକିରୁ ଅବସର ନେଇଛନ୍ତି ପିଆର୍ ଶ୍ରୀଜେଶ। ଭାରତୀୟ ହକି ଟିମର ଶ୍ରେଷ୍ଠ ଗୋଲକିପର ଶ୍ରୀଜେଶ ଅବସର ଘୋଷଣା କରିଛନ୍ତି।

କେରଳର କୋଚିର ଉପାନ୍ତ ଅଞ୍ଚଳ କିଜାକ୍କାମ୍ବାଲମରେ ଜନ୍ମିତ ଶ୍ରୀଜେଶ ଏକ ସାଧାରଣ କୃଷକ ପରିବାରରୁ ଆସିଛନ୍ତି। ସେ ଥିରୁଅନନ୍ତପୁରମର ଜିଭି ରାଜା ସ୍ପୋର୍ଟସ ସ୍କୁଲରେ ପାଠ ପଢିବା ବେଳେ ତାଙ୍କ କୋଚ୍ ତାଙ୍କୁ ଗୋଲ କିପିଂ କରିବାକୁ ପରାମର୍ଶ ଦେଇଥିଲେ। ଦୁଇ ଦଶନ୍ଧିର କ୍ୟାରିୟରରେ ୩୬ ବର୍ଷୀୟ ଶ୍ରୀଜେଶ ୩୩୬ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସହ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ୨୦୨୨ରେ ହାଙ୍ଗଜୋରେ ସ୍ୱର୍ଣ୍ଣ ସମେତ ତିନୋଟି ଏସୀୟ କ୍ରୀଡ଼ା ପଦକ ଜିତିଥିଲେ। ଭାରତୀୟ ହକି ପ୍ରତି ଶ୍ରୀଜେଶଙ୍କ ଭୂମିକା ଅତୁଳନୀୟ। ଏଥିପାଇଁ ତାଙ୍କୁ ୨୦୧୭ରେ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ଏବଂ ୨୦୨୧ରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଶ୍ୱ କ୍ରୀଡ଼ା ଆଥଲେଟ୍ ଅଫ୍ ଦି ଇୟର ପୁରସ୍କାର ଜିତିବାରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ, ଯାହା କି ତାଙ୍କର ବିଶ୍ୱସ୍ତରୀୟ ସ୍ୱୀକୃତିର ପ୍ରମାଣ। ଚଳିତ ପ୍ୟାରିସ୍ ଅଲିମ୍ପିକ୍ସ ଥିଲା ଶ୍ରୀଜେଶଙ୍କ ଚତୁର୍ଥ ଅଲିମ୍ପିକ୍ସ। ଯେଉଁଥିରେ ବ୍ରୋଞ୍ଜ ସହ ଅବସର ନେଲେ।