ଭିଜିଲାନ୍ସ ସ୍କାନରରେ ଜିଏସଟି ଆସିଷ୍ଟାଣ୍ଟ କମିଶନର

ସରକାରୀ ଅର୍ଥ ହଡପ ଅଭିଯୋଗ

ଭୁବନେଶ୍ବର, ୧୭/୮: ଆକ୍ସନ ମୋଡରେ ଓଡ଼ିଶା ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ଫସିଛନ୍ତି ଯାଜପୁର ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ। ଲାଞ୍ଚ, ଟିକସ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ୫ ଲକ୍ଷ ୮୫ ହଜାର ୩୫୬ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗ ରହିଛି। ଭୁବନେଶ୍ବର, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ାରେ ଚଢାଉ ଜାରି ରହିଛି। ଭୁବନେଶ୍ବରର ୟୁନିଟ ୨ ସ୍ଥିତ ସରକାରୀ ବାସଭବନ, ବରମୁଣ୍ଡାରେ ଥିବା ଘରେ, ଖୋର୍ଦ୍ଧାର ନିରାକାରପୁର ସ୍ଥିତ ପୈତୃକ ବାସଭବନ ଓ ଫାର୍ମ ହାଉସ, କେନ୍ଦ୍ରାପଡ଼ାର ପାଟକୁରାର ଯଦୁପୁର ସ୍ଥିତ ଘରେ ରେଡ୍ କରାଯାଇଛି। ଏହି ଚଢାଉରେ ଭିଜିଲାନ୍ସ ଟିମରେ ୭ ଜଣ ଡିଏସପି, ୧୪ ଇନ୍ସପେକ୍ଟର ଓ ୨୫ ଜଣ ସହାୟକ କର୍ମଚାରୀ ସାମିଲ ଅଛନ୍ତି।