କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗ

ଡେଙ୍ଗୁ ରୋଗରେ ପୀଡ଼ିତ ହୋଇ ୫୮ ବର୍ଷ ବୟସରେ ଝିଙ୍ଗିଆ ଓରାମଙ୍କ ପରଲୋକ ହୋଇଯାଇଛି।

ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୮: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଦେହାନ୍ତ ହୋଇଯାଇଛି। ୫୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଡେଙ୍ଗୁ ରୋଗରେ ପୀଡ଼ିତ ହୋଇ ସେ ଗତ ୭ ଦିନ ଧରି ଚିକିତ୍ସିତ ହେଉଥିଲେ। ଶେଷରେ ଶନିବାର ରାତି ୧୦ଟା ୫୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଥିଲା।

ଝିଙ୍ଗିଆ ଓରାମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ସମାଜସେବୀ ଓ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ଜୁଏଲ୍ ଭାଇ ଙ୍କ ଦୀର୍ଘ ରାଜନୈତିକ ଯାତ୍ରା ର ସଫଳତାରେ ତାଙ୍କ ଧର୍ମପତ୍ନୀଙ୍କର ପ୍ରମୁଖ ଭୂମିକା ରହିଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ଓରାମଙ୍କ ଭୁବନେଶ୍ୱରର ଲୁମ୍ବିନୀବିହାର ସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତ ଝିଙ୍ଗିଆ ଓରାମଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଥିଲେ। ଏଥିସହ ବାଚସ୍ପତି, ଉପବାଚସ୍ପତି ଓ ମନ୍ତ୍ରୀମଣ୍ଡଳ ସଦସ୍ୟ ମଧ୍ୟ ଶେଷ ଦର୍ଶନ କରିଥିଲେ।