ଆସନ୍ତାକାଲି ପୋଲାଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

୪୫ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ପୋଲାଣ୍ଡ ଗସ୍ତ ହେବ।

୨୩ରେ ଯିବେ ୟୁକ୍ରେନ

ନୂଆଦିଲ୍ଲୀ, ୨୦/୮: ଆସନ୍ତାକାଲିଠୁ ଦୁଇ ଦିନ ଯାଏଁ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୨୧ତାରିଖରୁ ପ୍ରଥମେ ପୋଲାଣ୍ଡ ଗସ୍ତରେ ଯିବେ। ଯାହା କି ଗତ ୪୫ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀ ଏବଂ ୱାର୍ସ ମଧ୍ୟରେ କୂଟନୈତିକ ସମ୍ପର୍କର ୭୦ତମ ବାର୍ଷିକୀ ଅବସରରେ ମୋଦି ପୋଲାଣ୍ଡ ଗସ୍ତ କରିବେ।

ୱାର୍ସାରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ମୋଦି ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେଜ ଡୁଡାଙ୍କୁ ସାକ୍ଷାତ କରିବେ ଏବଂ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ୨୦୦୩ରେ ସ୍ୱାକ୍ଷରିତ ହୋଇଥିବା ପ୍ରତିରକ୍ଷା ସହଯୋଗ ଚୁକ୍ତି ଉପରେ ଆଲୋଚନା କରିବେ। ପୋଲାଣ୍ଡରେ ରହୁଥିବା ଭାରତୀୟ ସମୁଦାୟ, ବିଜନେସ ଲିଡର୍ସ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ, ପୋଲାଣ୍ଡରେ ପ୍ରାୟ ୨୫,୦୦୦ ଭାରତୀୟ ସମୁଦାୟ ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି ୫,୦୦୦ ଛାତ୍ରଛାତ୍ରୀ ଅଛନ୍ତି।

ସେହିଭଳି ପୋଲାଣ୍ଡ ଗସ୍ତ ସାରି ଅଗଷ୍ଟ ୨୩ରେ ୟୁକ୍ରେନ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯୯୨ରେ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନ ହେବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ପ୍ରଥମ ୟୁକ୍ରେନ ଗସ୍ତ। ୟୁକ୍ରେନ ଗସ୍ତରେ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିବେ ନରେନ୍ଦ୍ର ମୋଦି।

କିଭରେ ପ୍ରଧାନମନ୍ତ୍ରୀ ରାଜନୈତିକ, ବାଣିଜ୍ୟ, ଅର୍ଥନୈତିକ, ପୁଞ୍ଜିନିବେଶ, ଶିକ୍ଷା, ସାଂସ୍କୃତିକ କ୍ଷେତ୍ରରେ ଆଲୋଚନା କରିବେ। ଭ୍ଲାଦିମିର ଜେଲେନସ୍କି ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ସହିତ ଏକାଧିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସେଠାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ଭାରତୀୟ ସମ୍ପ୍ରଦାୟ ସହ ମଧ୍ୟ ଆଲୋଚନା କରିବେ। ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ କୂଟନୀତି ଏବଂ ଆଲୋଚନା ମାଧ୍ୟମରେ ଯୁଦ୍ଧରେ ବିରାମ ଲଗାଇବା ପାଇଁ ନିଜର ନିରନ୍ତର ପ୍ରୟାସ ଜାରି ରଖିଛି।