ଆରଆଇ, ଅମିନଙ୍କୁ ଲାଞ୍ଚ ନେବା ପଡିଲା ମହଙ୍ଗା

୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେଶେଇବାହାଲ ଆରଆଇ ଓ ଅମିନ ଧରାପଡିଛନ୍ତି।

ଗିରଫ କଲା ଭିଜିଲାନ୍ସ

ସମ୍ବଲପୁର, ୨୦/୮: ଲାଞ୍ଚ ନେବା ବେଳେ ଧରାପଡିଲେ ଆରଆଇ ଓ ଅମିନ। କେଶାଇବାହାଲ ଆରଆଇ ଓ ଅମିନ ଭୂମିହୀନଙ୍କଠାରୁ ୭୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା କୁଚିଣ୍ଡା ଭିଜିଲାନ୍ସ। ଉଭୟଙ୍କୁ ଗିରଫ କରାଯାଇଛି। ଉଭୟ ବ୍ୟକ୍ତି ହେଉଛନ୍ତି କେଶାଇବାହାଲ ରାଜସ୍ୱ ନିରୀକ୍ଷକ ତୁଳସା ପ୍ରଧାନ ଓ ଅମିନ ମୁକେଶ ସାହୁ।

ପୂର୍ବରୁ ଜମିଜମା କାଗଜପତ୍ର ତଥା ଜମି ସେଟଲମେଣ୍ଟ କରାଇଦେବା ପାଇଁ ଉଭୟ ଭୂମିହୀନଙ୍କଠାରୁ ୨୪ ହଜାର ଟଙ୍କା ମାଗିଥିଲେ। ହେଲେ, ଏତେ ପରିମାଣର ଟଙ୍କା ଜେନା ପାଇଁ ସେମାନେ ମନା କରିବାରୁ ୧୦ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ହେଲେ, ପ୍ରଥମେ ଅଗ୍ରୀମ ଆକାରରେ ୩୦୦୦ ଟଙ୍କା ଲାଞ୍ଚ ନେଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ଉଭୟଙ୍କୁ ରେଡ୍ ହ୍ୟାଣ୍ଡ ଧରିବା ପାଇଁ ଜାଲ ବିଛାଇଥିଲା। ଆଜି ୭୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସର ୫ ଜଣିଆ ଟିମ୍ ଉଭୟଙ୍କୁ ମାଡି ବସିଥିଲା। ତୁରନ୍ତ ତାଙ୍କୁ ଗିରଫ କରିବା ସହିତ ସମ୍ବଲପୁର ସ୍ଥିତ ଭିଜିଲାନ୍ସ ଅଫିସକୁ ନେଇ ପଚରାଉଚରା କରିବା ପାଇଁ ଅଟକ ରଖିଛି। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଉଭୟଙ୍କ ସମ୍ପତ୍ତି ଉପରେ ଚଢ଼ାଉ ଆରମ୍ଭ କରାଯାଇଛି।