ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବା ଦାବି କରି ଦାଖଲ ହୋଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲା ଶୁଣାଣି କରି ଦେଶର ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନୂପୁର ଶର୍ମାଙ୍କ ଜୀବନର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜୁବୈର ମାମଲାରେ ଜାରି ନିର୍ଦ୍ଦେଶକୁ ନଜରେ ରଖି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଶୁଣାଣି ସମୟରେ ନୂପୁର ଶର୍ମାଙ୍କ ପକ୍ଷ ରଖୁଥିବା ଆଇନଜୀବୀ ମନିନ୍ଦର ସିଂ କହିଥିଲେ, ଜୁବୈରେ ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶ ଆମେ ଏଠାରେ ଚାହୁଁଛୁ । ସମସ୍ତ ମାମଲାକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରାଯାଉ । ସମସ୍ତ ମାମଲାକୁ ଗୋଟିଏ କରି ଦିଲ୍ଲୀ ସ୍ଥାନନ୍ତର କରାଯାଉ, କାରଣ ଦିଲ୍ଲୀରେ ପ୍ରଥମ ମାମଲା ରୁଜୁ ହୋଇଥିଲା ।

ମାମଲାର ଶୁଣାଣି ସମୟରେ ପଶ୍ଚିମବଙ୍ଗର ଆଇନଜୀବୀ କହିଥିଲେ, ଦିଲ୍ଲୀର ରୁଜୁ ହୋଇଥିବା ପ୍ରଥମ ଏଫଆଇଆର ଅଜ୍ଞାତଙ୍କ ବିରୋଧରେ ଥିଲା। ତେବେ ନୂପୁର ଶର୍ମାଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ଓକିଲ ଜଣାଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ଏହାକୁ ଦୃଷ୍ଟିରେ ରଖିବେ ବୋଲି ଭରଷା ଦେଇଥିଲେ।