କପ୍ତିପଦା: ଅଧ୍ୟାପକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

କପ୍ତିପଦା ଉପଖଣ୍ଡରେ କଲେଜ ଅଧ୍ୟାପକଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ମାଷ୍ଟର ମାଇଣ୍ଡ ଏବେ ବି ଫେରାର

କପ୍ତିପଦା, ୨୪/୮(ଦର୍ଶନ): କଲେଜର ଅଧ୍ୟାପକ ହୋଇ ଦୀର୍ଘ ଦିନରୁ ଠିକାଦାରୀରେ ଥିଲେ ସାମିଲ। ଏହାକୁ ନେଇ ଛୋଟ ଛୋଟ ଠିକାଦାରଙ୍କ ଭିତରେ ଥିଲା ଅସନ୍ତୋଷ। ଯେଉଁଥିପାଇଁ କାମ ଭାଗ ବଣ୍ଟାକୁ ନେଇ ହୋଇଥିଲା ପ୍ରାଣାନ୍ତକ ଆକ୍ରମଣ। ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ ହେବା ପରେ ସାମ୍ନାକୁ ଆସିଛି ଏଭଳି ସତ। ଗତ ୧୨ ତାରିଖରେ ଉଦଳା ଥାନା କୁକୁରଡିମା ଛକ ନିକଟରେ ମେଘାସନ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ରୁପେଶ କୁମାର ମହାପାତ୍ରଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଚ ରାସ୍ତାରେ ଭୁଜାଲିରେ ହାଣିଥିଲେ। ଏଥିରୁ ରୁପେଶ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏବଂ ତଦନ୍ତ ସମୟରେ ରୁପେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ହୋଇଥିବା ଜାଣିବାକୁ ପାଇବା ସହିତ ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ରୁପେଶଙ୍କୁ ହତ୍ୟା ପାଇଁ ସୁପାରୀ ଦିଆଯାଇଥିବା ପୋଲିସ ଜାଣିବାକୁ ପାଇଛି। ଯାହାକି ଠିକାଦାରୀ କାମ ଭାଗ ବଣ୍ଟାକୁ ନେଇ ଏହି ବ୍ଲୁ ପ୍ରିଣ୍ଟ ହୋଇଥିବା ବେଳେ ଘଟଣାର ମାଷ୍ଟର ମାଇଣ୍ଡ ଏବଂ ଆକ୍ରମଣ କରିବାକୁ ଆସିଥିବା ଦୁଇ ଦୁର୍ବୃତ୍ତ ଏବେ ବି ଫେରାର ରହିଛନ୍ତି। ଗିରଫ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ସନ୍ତୋଷ ମହାନ୍ତି ଏବଂ ନନ୍ଦନ ବିଶ୍ୱାଳ ନୀଳଗିରି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ କପ୍ତିପଦା ଅଞ୍ଚଳର ଅନନ୍ତ ନାୟକ। ମୁଖ୍ୟ ଅଭିଯୁକ୍ତ ଜଣକ ଅନନ୍ତଙ୍କୁ ସୁପାରୀ ଦେଇଥିଲେ। ପରେ ଅନନ୍ତ ଯାଇ ନୀଳଗିରି ଅଞ୍ଚଳର ସନ୍ତୋଷ ଏବଂ ନନ୍ଦନକୁ ଏହି କାଣ୍ଡ ଭିଆଇବା ପାଇଁ ସୁପାରୀ ଦେଇଥିଲେ। ହେଲେ ସେମାନେ ଉଭୟ ବାଲେଶ୍ୱରର ଦୁଇ ଜଣ ଯୁବକଙ୍କ ଦ୍ୱାରା ଏହି ଆକ୍ରମଣ କରାଇଥିଲେ। ଯେଉଁ ଦୁଇ ଜଣ ଏବଂ ପୁରା ଘଟଣାର ମାଷ୍ଟର ମାଇଣ୍ଡ ଏବେ ଫେରାର ଅଛନ୍ତି। ଖୁବ ଶୀଘ୍ର ସେମାଙ୍କୁ ଗିରଫ କରିବ ଏବଂ ସେମାନଙ୍କ ଗିରଫଦାରୀ ପରେ ପୁରା କାହାଣୀର ପରଦା ହଟିବ ବୋଲି ପୋଲିସ କହିଛି।