୨୦୨୬ ସୁଦ୍ଧା ନକ୍ସଲବାଦର ମୂଳୋତ୍ପାଟନ

ନକ୍ସଲ ନିପାତ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର: ଶାହ

ନୂଆଦିଲ୍ଲୀ, ୨୪/୮: ଖୁବଶୀଘ୍ର ଭୁଶୁଡିବ ବାମପନ୍ଥୀ ଉଗ୍ରବାଦ। ୨୦୨୬ ସୁଦ୍ଧା ନକ୍ସଲବାଦର ହେବ ମୂଳୋତ୍ପାଟନ। ବାମପନ୍ଥୀ ଉଗ୍ରବାଦକୁ ଦମନ କରିବାକୁ ଅନ୍ତଃରାଜ୍ୟ ସମନ୍ୱୟ ଉପରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର। ନକ୍ସଲ ମୁକାବିଲା ନେଇ ଛତିଶଗଡ଼ର ରାୟପୁରରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆନ୍ତଃରାଜ୍ୟ ସମନ୍ୱୟ ଏବଂ ବାମପନ୍ଥୀ ଉଗ୍ରବାଦ ସ୍ଥିତିର ସମୀକ୍ଷା କରିଛନ୍ତି ଶାହ। ବୈଠକରେ ଯୋଗ ଦେଇ ଶାହ କହିଛନ୍ତି, ନକ୍ସଲବାଦକୁ ମୂଳପୋଛ କରିବା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ନକ୍ସଲ ଆକ୍ରମଣ ଯୋଗୁଁ ଗତ ୪ ଦଶନ୍ଧି ମଧ୍ୟରେ ୧୭ ହଜାର ଲୋକ ପ୍ରାଣ ହରାଇଛନ୍ତି। ନକ୍ସଲ ନିପାତ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲବାଦରୁ ମୁକ୍ତ କରାଯିବ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ବିଜେପି କ୍ଷମତାକୁ ଆସିବା ପରଠାରୁ ଆମେ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛୁ ଏବଂ ଅସ୍ତ୍ରଶସ୍ତ୍ରଧାରୀ ନନକ୍ସଲମାନଙ୍କୁ ସୁଧାରି ମୁଖ୍ୟ ସ୍ରୋତରେ ଆଣିବାକୁ ଚେଷ୍ଟା କରିଛୁ ବୋଲି ଅମିତ ଶାହ କହିଛନ୍ତି।