ମଧ୍ୟପ୍ରାଚ୍ୟ ସଙ୍କଟ: ଲେବାନନ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ

ପ୍ରତି ଜବାବରେ ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲା ଇସ୍ରାଏଲ ଉପରେ ୩୨୦ରୁ ଅଧିକ କଟୟୁଷା ରକେଟ୍ ମାଡ କରିଛି।

ଇସ୍ରାଏଲରେ ୪୮ ଘଣ୍ଟା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଇସ୍ରାଏଲ, ୨୫/୮: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ରବିବାର ଲେବାନନ ଉପରକୁ ଆକ୍ରମଣ କରିଛି ଇସ୍ରାଏଲ। ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଇସ୍ରାଏଲ ସେନା ପ୍ରାୟ ୧୦୦ ଲଢୁଆ ବିମାନ ସହ ଲେବାନନରେ ଆତଙ୍କୀ ଗୋଷ୍ଠୀ ଉପରେ ଟାର୍ଗେଟ କରି ଆକ୍ରମଣ କରିଛି। ଏହାର ଜବାବରେ ହିଜବୁଲ୍ଲା ଗୋଷ୍ଠୀ ଲେବାନନରୁ ୩୨୦ରୁ ଅଧିକ କଟୟୁଶା ରକେଟ୍ ଇସ୍ରାଏଲ ଉପରକୁ ମାଡ କରିଛି।

ଏହା ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ ଆସନ୍ତା ୪୮ ଘଣ୍ଟା ପାଇଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଉତ୍ତର ଇସ୍ରାଏଲରେ ଉପୁଜିଥିବା ଏହି ପ୍ରତିକୂଳ ପରିସ୍ଥିତିର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଦେଶର ଉତ୍ତର ଓ କେନ୍ଦ୍ରୀୟ ଅଞ୍ଚଳ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ହିଜବୁଲ୍ଲାର ରକେଟ ଲଞ୍ଚର ବ୍ୟାରେଲକୁ ଇସ୍ରାଏଲର ଲଢୁଆ ବିମାନ ନଷ୍ଟ କରି ଦେଇଛି ବୋଲି ଇସ୍ରାଏଲ ସେନା କହିଛି।

ଲେବାନନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖିଆମରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ଯୋଗୁଁ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଉତ୍ତର ଇସ୍ରାଏଲ ଉପରେ ହିଜବୁଲ୍ଲାର ଆକ୍ରମଣ ଫଳରେ ଏକ୍ରେରେ ଜଣେ ମହିଳା ଆହତ ହୋଇଛନ୍ତି। ଅନ୍ୟ ପଟେ ଏହି ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ତେଲ୍ ଆଭିଭସ୍ଥିତ ବେନ୍ ଗୁରିୟନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।