ଏନଏଚ୍-୫୫ର ଆଠମଲ୍ଲିକ ବିଧାନସଭା ଅନ୍ତର୍ଗତ ବଇଣ୍ଡା ଓ ନାକଚି ସେକ୍ସନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ସ୍ଥାନୀୟ ଲୋକଙ୍କ ଦାବି କ୍ରମେ କାମ କରିବା ପାଇଁ ଏନଏଚ୍ଏଆଇ ଅଧିକାରୀଙ୍କୁ ଦେଲେ ପରାମର୍ଶ।

ଜନସାଧାରଣଙ୍କ ସୁବିଧା ପାଇଁ ଏନଏଚ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବାକୁ କହିଲେ

ଆଠମଲ୍ଲିକ, ୨୬/୮: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକକୁ ଏକ ସରକାରୀ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯିବା ସମୟରେ ଏନଏଚ-୫୫ ନମ୍ବର ସହ ସଂଯୋଗ ହୋଇଥିବା ବଇଣ୍ଡା ସେକ୍ସନ ଓ ନାକଚି ଠାରେ ଜାତୀୟ ରାଜପଥ କାର୍ଯ୍ୟର ଅଗ୍ରଗତି ନେଇ ଏନଏଚ୍ଏଆଇ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ-୫୫ ନମ୍ବର ସହ ସଂଯୋଗ ହୋଇଥିବା ବଇଣ୍ଡା ସେକ୍ସନରେ ନିର୍ମାଣାଧୀନ ଓଭରବ୍ରିଜ କାମ ଚାଲୁ ରହିଛି । ଏହା ସମ୍ପୂର୍ଣ୍ଣ ହେବା ପରେ ତଳେ ଅଣ୍ଡରପାସରେ ଗୋଟିଏ ସ୍ପାନ ପରିବର୍ତ୍ତେ ଦୁଇଟି ସ୍ପାନ୍ କରିବା ପାଇଁ ଲୋକଙ୍କ ଅପେକ୍ଷା ରହିଛି । ଆଠମଲ୍ଲିକ ଧୀରେ ଧୀରେ ଗୋଟିଏ ସହରକୁ ରୂପ ନେଉଛି । ଦୁଇଟି ସ୍ପାନ ହେଲେ ଭବିଷ୍ୟତ ପାଇଁ କାମରେ ଆସିବ । ସେହିପରି ନାକଚି ଠାରେ ଜାତୀୟ ରାଜପଥ କାର୍ଯ୍ୟ ମଧ୍ୟ ଜାରି ରହିଛି । ଜନସାଧାରଣଙ୍କ ସୁବିଧା ତଥା ସେମାନଙ୍କ ଯାତାୟତକୁ ସୁଗମ କରିବା ପାଇଁ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବାକୁ ଏନଏଚ୍ଏଆଇର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓଡ଼ିଶାରେ ସଡକପଥ ଭିତ୍ତିଭୂମିର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।