ସରକାରଙ୍କ ନଜରରେ ୯୧ ବିଡିଓ

ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ।

ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର, ୨୭/୮: ରାଜ୍ୟ ସରକାରଙ୍କ ସ୍କାନରରେ ଅଛନ୍ତି ୯୧ ବିଡିଓ। ପୂର୍ବରୁ ହୋଇଥିବା ବିଭିନ୍ନ ଅଭିଯୋଗ ଆଧାରରେ ୯୧ ବିଡିଓଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ବିଚାରକୁ ନେଇଛନ୍ତି ବୋଲି ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ବିଭିନ୍ନ ବିଡିଓଙ୍କ ନାମରେ କାର୍ଯ୍ୟରେ ଅନିୟମିତତା ହୋଇଥିବା ଏବଂ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ ଆସିବା ପରେ ସରକାର କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ବିଧାୟକ ପ୍ରଶ୍ନ କରିଥିଲେ। ବିଧାୟକଙ୍କ ପ୍ରଶ୍ନରେ ଲିଖିତ ଆକାରରେ ଉତ୍ତର ରଖିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ। ଆଜି ୯୧ ବିଡିଓଙ୍କ ତାଲିକା ପ୍ରକାଶ ପାଇବା ପରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର। ଗତ କିଛି ଦିନ ଧରି ଲଗାତାର ଦୁର୍ନୀତି ଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ମଧ୍ୟ ଚଢ଼ାଉ କରିବା ଆରମ୍ଭ କରିଛି।